ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ତେବେ ବର୍ତ୍ତମାନ ସମୟରେ ରାଜ୍ୟର ତିନି ପ୍ରମୁଖ ରାଜନେତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଅନ୍ୟପଟେ ନେତାମାନେ ଦଳ ବଦଳ କରୁଥିବାରୁ ସେମାନେ ଅନେକ ଆସନରେ ଦଳୀୟ ଭୋଟ ବିଭାଜନ କରିବାର ସମ୍ଭାବନା ରହିଛି । ତେଣୁ ଏପରି ସ୍ଥିତିରେ ଅଧିକାଂଶ ଲୋକସଭା ଓ ବିଧାନସଭା ଆସନରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି ।
ତେବେ ଏଥର ବ୍ରହ୍ମଗିରି ବିଧାନସଭା ଆସନରେ ବିଗ୍ ଫାଇଟ୍ ଦେଖିବାକୁ ମିଳିବ । ବିଜେଡିରୁ ଉମା ସାମନ୍ତରାୟ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିନାହିଁ । ପୁରୀ ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରି ଏକଦା କଂଗ୍ରେସର ଗଡ଼ ରୂପେ ପରିଚିତ ଥିଲା । ୧୯୯୫, ୨୦୦୦ ଓ ୨୦୦୪ରେ ଲୁଲୁ କଂଗ୍ରେସ ଟିକେଟରେ ଏହି ଆସନରୁ ବିଜୟୀ ହୋଇଥିଲେ । ତେବେ ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଲୁଲୁଙ୍କୁ ପରାସ୍ତ କରିଥିଲେ । ତେବେ ଲୁଲୁଙ୍କ ପରଲୋକ ପରେ ତାଙ୍କ ଭାଇ ଲଳିତେନ୍ଦୁ ବିଜେପି ଟିକେଟରେ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ।
ମାତ୍ର ଏଥର ବିଜେପି ଏହି ଆସନରୁ ଉପାସନାଙ୍କୁ ପ୍ରାର୍ଥୀ କରିଛି । ଲୁଲୁଙ୍କ ଆଦର୍ଶକୁ ଲୋକଲୋଚନକୁ ଆଣି ଉପାସନା ଭୋଟରଙ୍କ ମନ ଜିଣିବାକୁ ଉଦ୍ୟମ କରୁଛନ୍ତି । ତାଙ୍କୁ ଜନତା କେତେଦୂର ସମର୍ଥନ କରୁଛନ୍ତି ତାହା ସମୟ କହିବ । ଅନ୍ୟପକ୍ଷରେ ବିଜେଡି ଏଥର ଏହି ଆସନର ପ୍ରାର୍ଥୀ ପରିବର୍ତ୍ତନ କରି ଉମାଙ୍କୁ ମୈଦାନକୁ ଓହ୍ଲାଇଛି । ସଞ୍ଜୟ ପୁରୀ ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ । ତେଣୁ ଏଥର ଉମା ଓ ଉପାସନା କାହାକୁ ବ୍ରହ୍ମଗିରି ବାସୀ ଗ୍ରହଣ କରୁଛନ୍ତି ତାହା ଏବେ ବଡ଼ ପ୍ରଶ୍ନ । ଏହି ଆସନରେ ସର୍ବଦା ଜୋରଦର ଲଢ଼େଇ ହୋଇଥାଏ । ସେହିପରି ଉଭୟ ବିଜେଡି ଓ ବିଜେପି ପାଇଁ ବ୍ରହ୍ମଗିରି ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହୋଇଥିବାରୁ ଏଥର ଏହି ଆସନରେ କଡ଼ା ଟକ୍କର ହେବ ।