fbpx

ଓଡ଼ିଶାର ଚାଉଳକୁ ଜାତିସଂଘର ପ୍ରଶଂସା: ଭିଟାମିନଯୁକ୍ତ ଚାଉଳ ପ୍ରସ୍ତୁତିର ଟେକନିକ ଆପଣାଇବ ନାଇଜେରିଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରସ୍ତୁତ ହେଉଥିବା ଭିଟାମିନଯୁକ୍ତ ପୁଷ୍ଟିବର୍ଦ୍ଧକ ଚାଉଳ (ଫର୍ଟିଫାଏଡ୍ ରାଇସ)ର ଗ୍ରହଣୀୟତା ବିଦେଶରେ ବଢ଼ିବାରେ ଲାଗିଛି । ସେଥିପାଇଁ ନାଇଜେରିଆର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଟିମ୍ ନିକଟରେ ଓଡ଼ିଶା ଆସିଥିଲା । ନାଇଜେରିଆରୁ ଆସିଥିବା ଉକ୍ତ ପ୍ରତିନିଧି ମଣ୍ଡଳୀ ô ଭୁବନେଶ୍ୱରରେ ପହଞ୍ଚବା ସହ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଲୋକସଭା ଭବନରେ ଭେଟିଥିଲେ ।

ତେବେ ପୁଷ୍ଟିହୀନତା ଦୂର ପାଇଁ ଓଡ଼ିଶାର ଭିଟାମିନଯୁକ୍ତ ଚାଉଳ ପ୍ରସ୍ତୁତିର କୌଶଳକୁ ନାଇଜେରିଆ ଆପଣାଇବ । ଏହି ଚାଉଳ ଗରିବଙ୍କ ପୁଷ୍ଟିହୀନତା ଦୂର କରିବାରେ ସହାୟକ ହେଉଥିବା ବେଳେ ଏହି ଅଭିନବ ପଦ୍ଧତିକୁ ଓଡ଼ିଶା ପ୍ରଥମେ ଉପଯୋଗ କରି ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହୋଇଥିଲା । ଗତ ୨୬ରୁ ୨୯ ତାରିଖ ମଧ୍ୟରେ ବିଦେଶୀ ଟିମ୍ ଓଡ଼ିଶାରେ ବୁଲି ପ୍ରକ୍ରିୟାକରଣ କେନ୍ଦ୍ର ଦେଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଜନକଲ୍ୟାଣକାରୀ ଯୋଜନାକୁ ଜାତିସଂଘ ଓ ନାଇଜେରିଆ ପ୍ରତିନିଧି ଦଳ ପ୍ରଶଂସା କରିଥିବା ଜଣାପଡ଼ିଛି ।

ଓଡ଼ିଆଙ୍କ ଭଳି ଚାଉଳ ନାଇଜେରିଆବାସୀଙ୍କ ମୁଖ୍ୟ ଖାଦ୍ୟ । ମାତ୍ର ସାଧାରଣ ଚାଉଳରେ ପୁଷ୍ଟିହୀନତା ଦୂର ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ନଥିବାରୁ ଓଡ଼ିଶା ସରକାର ଏହି ଅଭିନବ ପଦ୍ଧତି ଗ୍ରହଣ କରିଛନ୍ତି । ତେଣୁ ଓଡ଼ିଶା ଭଳି ନାଇଜେରିଆ ଆଗାମୀ ଦିନରେ ଲୋକଙ୍କୁ ଏପରି ଭିଟାମିନଯୁକ୍ତଚାଉଳ ଯୋଗାଇବାକୁ ଯୋଜନା କରିଛି । ଗରିବଙ୍କ ନିତିଦିନିଆ ଖାଦ୍ୟରେ ଏହି ଚାଉଳକୁ ସାମିଲ କରିବା ପାଇଁ ୨୦୧୪ରେ ରାଜ୍ୟ ସରକାର ଦେଶକୁ ନୂଆ ବାଟ ଦେଖାଇଥିଲା । ସେହିବର୍ଷ ଗଜପତି ଜିଲ୍ଲାରେ ପ୍ରଥମ ଥର ଏହି ଚାଉଳର ପ୍ରକ୍ରିୟାକରଣ ଆରମ୍ଭ ହୋଇଥିଲା । କାର୍ବୋହାଇଡ୍ରେଟସ ଓ ଭିଟାମିନ ବି-୯ ଓ ବି-୧୨ ମିଶାଇ ଭିଟାମିଯୁକ୍ତ ଚାଉଳ ପ୍ରସ୍ତୁତ କରାଯାଇଥିଲା । ଏବେ ରାଜ୍ୟର ଆଇସିଡିଏସ, ମଧ୍ୟାହ୍ନ ଭୋଜନ ଓ ପିଡିଏସ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ପୁଷ୍ଟିହୀନତା ଦୂର ପାଇଁ ଏହି ଚାଉଳ ଦିଆଯାଉଛି ।

Get real time updates directly on you device, subscribe now.