ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିବାକୁ ଉଦ୍ୟମ
ଗୃହ ଋଣ ପରିଶୋଧ କରି ନପାରିବାରୁ ଖେଳଣା ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିବାକୁ ଚେଷ୍ଟା।
କୋଲକାତା: ବ୍ୟାଙ୍କ ସୁଧ ପରିଶୋଧ କରିବାର ନୂଆ ଫଣ୍ଡା। ବ୍ୟାଙ୍କରୁ ଋଣ ନେଇ ସୁଝି ପାରୁନଥିଲେ ଜଣେ ବ୍ୟକ୍ତି। ମୁଣ୍ଡରେ ଥିଲା ଚାପ। ସବୁବେଳେ ରହୁଥିଲେ ଟେନସନରେ। କିପରି ସୁଝିବେ ବ୍ୟାଙ୍କ ସୁଧ। ଶେଷରେ ଆଉ କିଛି ଉପାୟ ନପାଇ ସେହି ବ୍ୟାଙ୍କ ଲୁଟ୍ କରିବାକୁ ଉଦ୍ୟମ କଲେ। ତାହା ପୁଣି ଖେଳନା ବନ୍ଧୁକ ଦେଖାଇ।
ଯଦିଓ ବ୍ୟାଙ୍କ ଲୋନ ସୁଝିବାରେ ଏବେ ସୁବିଧା ହୋଇଛି। କମ୍ ଋଣ ଦେବାକୁ ପଡୁଛି, ତଥାପି କେତେକ ଲୋକଙ୍କ ପାଇଁ ଏହା ଚିନ୍ତାର କାରଣ ସାଜିଛି। ଠିକ୍ ଯେପରି ଏହି ଯୁବକ ଜଣକଙ୍କ କ୍ଷେତ୍ରରେ ଘଟିଛି। ଯେଉଁ ବ୍ୟାଙ୍କରୁ ଋଣ କରିଥିଲେ ସୁଧ ନଦେଇପାରିବାରୁ ସେହି ବ୍ୟାଙ୍କ ଲୁଟିବାକୁ ଉଦ୍ୟମ କଲେ।
ଖେଳନା ବନ୍ଧୁକରେ ବ୍ୟାଙ୍କ ଲୁଟ୍: ତେବେ ଏପରି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କୋଲକାତାର ସର୍ଭେ ପାର୍କ ଅଞ୍ଚଳରେ। ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଅଭିଯୁକ୍ତ ଡାଲିମ୍ ବାସୁ ଜାତୀୟକରଣ ବ୍ୟାଙ୍କରେ ପହଞ୍ଚିଥିଲା।
ଆଉ ବ୍ୟାଙ୍କର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ଆରମ୍ଭ କଲା। ବ୍ୟାଙ୍କରେ ଥିବା ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ପତ୍ର ଦେବାକୁ କହିଥିଲା। ପ୍ରଥମେ ପ୍ରଥମେ ବ୍ୟାଙ୍କ କର୍ମଚାରୀମାନେ ଭୟଭୀତ ହୋଇଯାଇଥିଲେ।
ଧରାପଡିଲା ଅଭିଯୁକ୍ତ: ହେଲେ ପରେ ବ୍ୟାଙ୍କ ପରିଚାଳକ ଏବଂ ଗ୍ରାହକମାନେ ଜାଣିପାରିଲେ ଯେ ବାସୁ ଏକ ଖେଳଣା ବନ୍ଧୁକ ଧରିଛି। ପରେ ଅଭିଯୁକ୍ତକୁ କାବୁ କରି ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଖେଳଣା ବନ୍ଧୁକ ବ୍ୟତୀତ ତାଙ୍କ ନିକଟରୁ ଏକ ଛୁରୀ ମଧ୍ୟ ଜବତ କରାଯାଇଥିଲା।
କାହିଁକି ଏପରି କଲା: ସୂଚନାନୁସାରେ, କୋଲକାତାର ସର୍ଭେ ପାର୍କ ଅଞ୍ଚଳରେ ଡାକ ବିଭାଗର କାମ କରୁଥିଲା ୩୧ ବର୍ଷୀୟ ଡାଲିମ୍ ବାସୁ। ସେ ଉକ୍ତ ବ୍ୟାଙ୍କରୁ ଘର ଋଣ ନେଇଥିଲେ।
ହେଲେ ସେ ଗୃହ ଋଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ ହୋଇପଡିଥିଲେ। ଏବଂ ଚାପରେ ରହୁଥିଲେ। ତେଣୁ ଆଉ କୌଣସି ଉପାୟ ନପାଇ ଶେଷରେ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ।