fbpx

ବେକାର ଯୁବକଙ୍କୁ ବଡ଼ ଉପହାର: ଦ୍ୱାଦଶ ପାସ୍ କରିଥିଲେ ପ୍ରତି ମାସରେ ଦିଆଯିବ ବେକାରୀ ଭତ୍ତା

ନୂଆଦିଲ୍ଲୀ: ଦିନକୁ ଦିନ ବେକାର ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧ ତାରିଖରୁ ବେକାର ଯୁବକଙ୍କୁ ସରକାର ମାସକୁ ୨୫୦୦ ଟଙ୍କାର ବେକାରୀ ଭତ୍ତା ପ୍ରଦାନ କରିବେ । ଏହି ପଦକ୍ଷେପ ଶିକ୍ଷିତ ଯୁବକମାନଙ୍କୁ ସ୍ୱାବଲମ୍ବୀ କରାଇବା ଦିଗରେ ସହାୟକ ହେବ । ଏନେଇ ବଜେଟରେ ଘୋଷଣା କରାଯାଇଛି ।

ସୂଚନା ମୁତାବକ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ ଆଗତ କରିବା ଅବସରରେ ଯୁବକଙ୍କୁ ଏହି ଉପହାର ପ୍ରଦାନ କରିଛନ୍ତି । ବେକାରୀ ଭତ୍ତା ଯୋଜନାର ଫାଇଦା ଉଠାଇବା ପାଇଁ ରାଜ୍ୟ ସରକାରଙ୍କର କିଛି ନିୟମ ରହିଛି । ଆବେଦନକାରୀ ଛତିଶଗଡ଼ର ସ୍ଥାୟୀ ବାସିନ୍ଦା ହେବା ସହ ତାଙ୍କର ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

ଏଥିସହିତ ଆବେଦନକାରୀଙ୍କ ଦ୍ୱାଦଶ ପାସ କରିଥିବା ଜରୁରୀ । ପରିବାରର ବାର୍ଷିକ ଆୟ ୨.୫ ଲକ୍ଷରୁ କମ୍ ହେଉଥିବା ଦରକାର । ଏହାଛଡ଼ା ଆବେଦନକାରୀ ରାଜ୍ୟର କୌଣସି ଜିଲ୍ଲା ରୋଜଗାର ଓ ସ୍ୱରୋଜଗାର ମାର୍ଗଦର୍ଶନ କେନ୍ଦ୍ରରେ ନାମ ପଞ୍ଜିକରଣ କରିଥିବେ । ଏହି ଯୋଜନାରେ ଯୋଗ୍ୟ ଆବେଦନକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରତି ମାସରେ ୨୫୦୦ ଟଙ୍କା ପଠାଯିବ । ଏହି ସହାୟତା ମାଧ୍ୟମରେ ବେକାର ଯୁବକମାନେ ନିଜର କୌଶଳ ବିକାଶ ପାଇଁ ତାଲିମ୍ ନେବା ସହ କାର୍ଯ୍ୟର ସନ୍ଧାନ କରିପାରିବେ ।

Get real time updates directly on you device, subscribe now.