ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ସମୟରେ ନୂଆ ନୂଆ ନିୟମ ଲାଗୁ ହୋଇଥାଏ । ଆପଣମାନେ ଯଦି ପୋଲିସ ବିଭାଗରେ ଚାକିରି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଆପଣମାନେ ଯଦି ମଦ୍ୟପାନ କରୁଥିବେ, ଶାରୀରିକ ଦୃଷ୍ଟିକୋଣରୁ ଅତ୍ୟଧିକ ମୋଟା ହୋଇଥିବେ କିମ୍ବା ଡ୍ୟୁଟିରେ ଶତ ପ୍ରତିଶତ ଦେଇ ପାରୁନଥିବେ ତେବେ ଆପଣଙ୍କର ସମସ୍ୟା ବଢ଼ିପାରେ । ଏଭଳି ସ୍ଥିତିରେ ଆପଣ ନିଜର ଚାକିରି ହରାଇ ପାରନ୍ତି ।
ସୂଚନା ମୁତାବକ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏଭଳି ଅନଫିଟ ପୋଲିସ କର୍ମଚାରୀଙ୍କୁ ପୂର୍ବରୁ ଚେତାବନୀ ଦେଇଥିଲେ । ଯେଉଁମାନଙ୍କଠାରେ ଏହିସବୁ ସମସ୍ୟା ଥିବ ସେମାନଙ୍କୁ ମାସିକ ଦରମା ମିଳିବ । ମାତ୍ର ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇ ଖାଲି ସ୍ଥାନରେ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ତିନି ମାସର ସମୟ ଦିଆଯାଇଛି । ଏହି ଅବଧି ମଧ୍ୟରେ ଫିଟ୍ ହୋଇ ନପାରିଲେ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି ।
ନିକଟରେ ରାଜ୍ୟ ଡିଜିପିଙ୍କ ପକ୍ଷରୁ ଏକ ଟ୍ୱିଟ୍ ଆସିଛି । ଆଇପିଏସ, ଏପିଏସଙ୍କ ସହିତ ସମସ୍ତ ପୋଲିସ କର୍ମଚାରୀଙ୍କୁ ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ପୋଲିସ କର୍ମଚାରୀମାନେ ନିଜକୁ ସମ୍ପୂର୍ଣ୍ଣ ଫିଟ୍ ରଖିବେ । ଏହାପରେ ୧୬ ତାରିଖଠାରୁ ବଡି ମାସ ଇଣ୍ଡେକ୍ସ (ବିଏମଆଇ) ରେକର୍ଡ କାର୍ଯ୍ୟ ଆରମ୍ଭ କରାଯିବ । ରାଜ୍ୟରେ ପାଖାପାଖି ୭୦ ହଜାର ପୋଲିସଙ୍କ ମଧ୍ୟରୁ ଯେଉଁମାନେ ମେଡିକାଲ ଦୃଷ୍ଟିରୁ ଫିଟ୍ ନଥିବେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ତେବେ ରାଜ୍ୟର ଏଭଳି ୬୮୦ ଜଣ ପୋଲିସ କର୍ମଚାରୀଙ୍କ ଲିଷ୍ଟ ପ୍ରସ୍ତୁତ କରାଯାଇଥିବା ନେଇ ଡିଜିପି କହିଥିବାରୁ ସବୁ ପୋଲିସଙ୍କ ମଧ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି ।