fbpx

Indian Railway ପାଇଁ ଅଶୁଭ ୨୦୨୩ ବର୍ଷ! ବାରମ୍ବାର ଘଟିବାରେ ଲାଗିଛି ଟ୍ରେନ ଦୁର୍ଘଟଣା

ନୂଆଦିଲ୍ଲୀ: ଭାରତୀୟ ରେଲୱେ ପାଇଁ ଚଳିତ ବର୍ଷ ୨୦୨୩ ଖୁବ ଅଶୁଭ ସାବ୍ୟସ୍ତ ହୋଇଛି । ବାରମ୍ବାର ବିଭିନ୍ନ ସ୍ଥାନରେ ଟ୍ରେନ ଦୁର୍ଘଟଣା ଘଟିବାରେ ଲାଗିଛି । ଟ୍ରେନ ଯାତ୍ରୀଙ୍କ ପାଇଁ ଅଶୁଭ ପାଲଟି ଯାଇଛି ୨୦୨୩ ରେଳଯାତ୍ରା । ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷର ସର୍ବବୃହତ ଟ୍ରେନ ଦୁର୍ଘଟଣା ହେଉଛି ବାଲେଶ୍ୱରର ବାହାନଗାରେ ଘଟିଯାଇଥିବା ଦୁର୍ଘଟଣା । ତେବେ ବାହାନଗା ଟ୍ରେନ୍ ଲାଇନରୁ ରକ୍ତର ଛିଟା ଲିଭି ନଥିବା ବେଳେ ପୁଣିଥରେ ବିହାରରେ ଏକ ଦୁର୍ଘଟଣା ସମସ୍ତଙ୍କ ଛାତି ଥରାଇ ଦେଇଛି । ଏହି ୨ ଦୁର୍ଘଟଣା ଭିତରେ ଅନେକ ରେଳ ଦୁର୍ଘଟଣାର ସାମ୍ନା କରିଛନ୍ତି ଯାତ୍ରୀ ।

୨୦୨୩ରେ ଘଟୁଛି ଗୋଟିଏ ପରେ ଗୋଟିଏ ଟ୍ରେନ୍ ଦୁର୍ଘଟଣା । ଏବେ ବି ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଶହେରୁ ଊର୍ଦ୍ଧ୍ୱ ଯାତ୍ରୀ । ଓଡ଼ିଶା ପରେ ବିହାର ରାଜ୍ୟରେ ପଡିଛି କାନ୍ଦ ବୋବାଳି । ଆତ୍ମୀୟ ସ୍ୱଜନଙ୍କୁ ଖୋଜି ପାଇଁ ଟ୍ରେନ ଲାଇନରେ ଲାଗିଛି ଗହଳି । ଗତ କିଛି ମାସ ଭିତରେ ଶହଶହ ଲୋକଙ୍କ ରକ୍ତ ପିଇ ସାରିଲାଣି ଟ୍ରେନ୍ ଓ ଟ୍ରେନ୍ ଲାଇନ୍ । ବାହାନଗା ଟ୍ରେନ୍ ଲାଇନରୁ ରକ୍ତର ଛିଟା ଭଲ କରି ଶୁଖିନଥିବ, ପୁଣିଥରେ ଘଟିଛି ଭୟଙ୍କର ଦୁର୍ଘଟଣା । ୨୦୨୩ ମସିହା ଟ୍ରେନ୍ ଯାତ୍ରୀଙ୍କ ପାଇଁ ଅଶୁଭ କହିଲେ ବୋଧହୁଏ ଭୁଲ୍ ହେବନି ।

୨୦୨୩ ଜୁନ ୨ ତାରିଖ, ଅଚାନକ ଓଡ଼ିଶା ସମେତ ପୁରା ଦେଶରେ ଚହଳ ପଡିଗଲା, ଆଉ ଟିଭି ପରଦାରେ ଦିଶୁଥିଲା ଖାଲି ଲାଲ ରକ୍ତର ଛିଟା ଏବଂ କୁଢ଼କୁଢ଼ ଶବ । ଏବେ ବି ସେଦିନ କଥା ମନେ ପଡ଼ିଲେ ଲୋମମୁଳ ଟାଙ୍କୁରି ଉଠେ । ବାହାନଗାର ଲୋକେ ଶୁଣିଛନ୍ତି, ଜୀବନ ଗଲା ବେଳେ ଚିତ୍କାର ଆଉ ରକ୍ତ ରଞ୍ଜିତ ଟ୍ରେନ ଲାଇନରୁ ସାଉଁଟିଛନ୍ତି ଖଣ୍ଡବିଖଣ୍ଡିତ ମୃତଦେହ । ପୁଣିଥରେ ଛାତି ଥରା ଟ୍ରେନ ଦୁର୍ଘଟଣା ଘଟିଛି ବିହାରର ବକ୍ସରରେ । ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲରୁ କାମାକ୍ଷା ଅଭିମୁଖେ ବାହାରିଥିବା ନର୍ଥ ଟ୍ରେନ ଏକ୍ସପ୍ରେସର ପ୍ରାୟ ୨୧ଟି ବଗି ଲାଇନଚ୍ୟୁତ ହେବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି । ୪ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶହେରୁ ଅଧିକ ଯାତ୍ରୀ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ବାରମ୍ବାର ଟ୍ରେନ ଦୁର୍ଘଟଣା ଘଟିବା ଫଳରେ ସାଧାରଣ ଲୋକେ ଏବେ ଟ୍ରେନରେ ଯିବା ପାଇଁ ଭୟ କରୁଛନ୍ତି ।

ଭାଗ୍ୟବଶତଃ ଶହଶହ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା ଆଉ ଦୁର୍ଘଟଣା ଭୟଙ୍କର ହୋଇଥାନ୍ତା ତେବେ ବାହାନଗା ଭଳି ଶବର ପାହାଡ଼ ଛିଡ଼ା ହୋଇଥାନ୍ତା । ଇଏ ହେଉଛି ବାଲେଶ୍ୱର ବାହାନଗାର ଦୃଶ୍ୟ ଆଉ ଇଏ ହେଉଛି ବିହାରର ବକ୍ସରର ଦୃଶ୍ୟ । ଏବେ ପ୍ରଶ୍ନ ଉଠେ, କେଉଁ ଭରସାରେ ଟ୍ରେନରେ ଯାତ୍ରା କରିବେ ଯାତ୍ରୀ । ଟ୍ରେନ୍ ବସ ଭଳି ନୁହେଁ, କାହିଁକି ନା, ଟ୍ରେନରେ ହଜାର ହଜାର ଯାତ୍ରୀ ଯାତ୍ରା କରନ୍ତି ଆଉ କିଭିଳି ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ, ସେହି ଚିନ୍ତା କରୁଥାଆନ୍ତି । କିନ୍ତୁ ଗୋଟିଏ ପରେ ଗୋଟେ ଭୟଙ୍କର ଟ୍ରେନ ଦୁର୍ଘଟଣା ଦେଶବାସୀଙ୍କୁ ଭୟଭୀତ କରି ଦେଇଛି ।

Get real time updates directly on you device, subscribe now.