fbpx

ବାହାନଗା ଦୁର୍ଘଟଣା: ଅଚିହ୍ନା ମୃତଦେହକୁ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖାଯିବ, ଚୂଡାନ୍ତ ନିଷ୍ପତ୍ତି ଆଜି

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ୨୮୮ ଜଣ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୭ ଜଣଙ୍କର ଶବ ଚିହ୍ନଟ ହୋଇଥିବା ବେଳେ ଏବେ ବି ୮୧ ଜଣଙ୍କୁ ଚିହ୍ନଟ କରାଯାଇ ପାରିନାହିଁ । ତେଣୁ ଏବେ ଏହି ମୃତଦେହକୁ କାହାକୁ ହସ୍ତାନ୍ତର କରାଯିବ ସେ ନେଇ ପ୍ରଶ୍ନ ଉଠିଛି । ତେବେ କୁହାଯାଉଛି ଯେ, ଏହି ଅଚିହ୍ନା ମୃତଦେହ ଛାତ୍ରଛାତ୍ରୀମାନଙ୍କ ପାଇଁ ସଂରକ୍ଷିତ ରଖାଯିବ ଏବଂ ଏସବୁକୁ ଡାକ୍ତରୀ ଗବେଷଣା କ୍ଷେତ୍ରରେ ବ୍ୟବହାର କରାଯିବ । ଏଥିପାଇଁ ଆଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି ।

ସୂଚନା ଅନୁସାରେ, ଆନାଟୋମୀ ଆକ୍ଟ ୧୯୭୫ର ଆଇନଗତ ଦିଗକୁ ତର୍ଜମା କରାଯାଉଛି । ଖୁବଶୀଘ୍ର ଏହି ମାମଲା ନେଇ ବଡ ନିଷ୍ପତ୍ତି ନେଇପାରନ୍ତି କେନ୍ଦ୍ର ସରକାର । ତେବେ ଯଦି ମୃତଦେହକୁ ଚିହ୍ନଟ କରିବା ପାଇଁ କେହି ନଆସନ୍ତି, ତେବେ ଏ ସମସ୍ତ ମୃତଦେହକୁ ଏମ୍ସ ମେଡିକାଲକୁ ହସ୍ତାନ୍ତର କରାଯିବ । ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ଏହାକୁ ସଂରକ୍ଷିତ ରଖାଯିବ ବୋଲି ବିଚାର-ବିମର୍ଶ ଜାରି ରହିଛି । ନିୟମ ଅନୁସାରେ, କୌଣସି ବ୍ୟକ୍ତିଙ୍କର ଅଜଣା ସ୍ଥାନରେ ମୃତ୍ୟୁ ହେଲେ ଏବଂ ମୃତଦେହ ପାଇଁ କୌଣସି ଦାବିଦାର ନ ଆସିଲେ ଏହାକୁ ସରକାରୀ ଅନୁଦାନ ପ୍ରାପ୍ତ ଡାକ୍ତରୀ ପାଠପଢା ଏବଂ ଗବେଷଣା କ୍ଷେତ୍ରକୁ ଦାନ କରି ଦିଆଯିବ । ତେବେ ଏଥିପାଇଁ ଜଣେ ଅଧିକାରୀଙ୍କ ଦାୟିତ୍ୱ ଦିଆଯିବ ବୋଲି ଏହି ନିୟମର ଧାରା- ୪ରେ ଉଲ୍ଲେଖ ରହିଛି ।

ସେପଟେ ଦୁର୍ଘଟଣାକୁ ୧୧ ଦିନ ବିତି ଯାଇଥିବାରୁ ଅଧିକାଂଶ ମୃତଦେହ ନଷ୍ଟ ହେବାକୁ ବସିଲାଣି । ତେଣୁ ଏହି ମୃତଦେହରୁ ସ୍କେଲିଟନ୍ ବାହାର କରି ଏହାକୁ ସଂରକ୍ଷିତ ରଖିବା ପାଇଁ ଯୋଜନା ଆରମ୍ଭ ହୋଇଛି । ତେବେ ବାହାନଗା ଭଳି ଏକ ଦୁର୍ଘଟଣାରେ ମୃତକଙ୍କ ଶବରୁ ସ୍କେଲିଟନ୍ ବାହାର କରି ରଖିବା ନିଷ୍ପତ୍ତି ନେଇ ବିଚାର କରାଯାଉଛି । ଆଜି ଏହାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇପାରନ୍ତି କେନ୍ଦ୍ର ସରକାର ।

Get real time updates directly on you device, subscribe now.