fbpx

‘ଦେଶରେ ଲାଗୁ ହେଉ ୟୁନିଫର୍ମ ସିଭିଲ କୋଡ୍, ଜନସଂଖ୍ୟା ଉପରେ ଆଇନ ତିଆରି ହେଉ’

ପୁଣେ: ଦେଶରେ ସମାନ ନାଗରିକତା ସଂହିତା(ୟୁନିଫର୍ମ ସିଭିଲ କୋଡ୍) ଶୀଘ୍ର ଲାଗୁ କରିବା ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରମୁଖ ରାଜ ଠାକରେ। ନିଜର ଅଯୋଧ୍ୟା ଗସ୍ତ ରଦ୍ଦ କରିବା ପରେ ପୁଣେରେ ଆୟୋଜିତ ଏକ ରାଲିରେ ଠାକରେ କହିଛନ୍ତି ଔରଙ୍ଗାବାଦର ନାମ ବଦଳାଇ ଶୋମ୍ଭାଜୀନଗର କରାଯିବା ଉଚିତ୍।

ନିଜ ଅଯୋଧ୍ୟା ଯାତ୍ରା ବିଷୟରେ ଆଲୋଚନା କରି ରାଜ ଠାକରେ କହିଛନ୍ତି, ତାଙ୍କ ପାଇଁ ସେହି ଲୋକେ ଜାଲ ବିଛାଇଥଲେ, ଯେଉଁମାନଙ୍କୁ ଲାଉଡସ୍ପିକର ବିରୋଧ ପସନ୍ଦ ନୁହେଁ। କିନ୍ତୁ ମୁଁ ସେମାନଙ୍କ ଜାଲରେ ଫସିଲି ନାହିଁ କାରଣ ମୁଁ ଚାହୁଁନଥିଲି ଯେ ମୋ ପାର୍ଟିର କାର‌୍ୟ୍ୟକର୍ତ୍ତା ଜେଲ୍ ଯାଆନ୍ତୁ।

ଠାକରେ କହିଛନ୍ତି, ମୁଁ ଦୁଇ ଦିନ ପୂର୍ବେ ଅଯୋଧ୍ୟା ଯାତ୍ରା ସ୍ଥଗିତ ବିଷୟରେ ଟୁଇଟ୍ କରିଥିଲି। ମୁଁ ଜାଣିଶୁଣି ବୟାନ ଦେଇଥିଲି, ଯଦ୍ଵାରା ସମସ୍ତଙ୍କୁ ନିଜର ପ୍ରତିକ୍ରିୟା ରଖିବାର ସୁଯୋଗ ମିଳିବ। ଯେଉଁ ଲୋକେ ମୋର ଅଯୋଧ୍ୟା ଯାତ୍ରା ବିରୋଧରେ ଥିଲେ, ସେମାନେ ମୋତେ ଫସାଇବାକୁ ଉଦ୍ୟମ କରୁଥିଲେ। ହେଲେ ମୁଁ ଏହି ବିବାଦରେ ନ ପଡିବାକୁ ନିଷ୍ପତ୍ତି ନେଇଛି।

ଏହା ବାଦ୍ ମନସେ ମୁଖ୍ୟ ରାଜ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶରେ ଶୀଘ୍ର ସମାନ ନାଗରିକତା ସଂହିତା ଲାଗୁ କରିବାକୁ ଅପିଲ୍ କରିଛନ୍ତି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଯେ, ଖୁବ୍ ଶୀଘ୍ର ଦେଶରେ ନାଗରିକତା ସଂହିତା ଅଣାଯାଉ, ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଇନ ତିଆରି ହେଉ ଏବଂ ଔରଙ୍ଗାବାଦର ନାମ ବଦଳାଇ ଶୋମ୍ଭାଜୀନଗର କରାଯାଉ।

Get real time updates directly on you device, subscribe now.