fbpx

ନିଲାମ ଅପେକ୍ଷାରେ ରେଳ, ସଡ଼କ, ଶକ୍ତି, ଏୟାରପୋର୍ଟ ଆଦି କ୍ଷେତ୍ର: ୬ ଲକ୍ଷ କୋଟି ଯୋଗାଡ଼ ପାଇଁ କେନ୍ଦ୍ର ସରକାରଙ୍କ NMP ପ୍ରସ୍ତୁତ

ନୂଆଦିଲ୍ଲୀ: ନ୍ୟାସନାଲ ମନିଟାଇଜେସନ ପାଇପଲାଇନ (ଏନଏମପି) ପାଇଁ କେନ୍ଦ୍ର ସରକାର ସମସ୍ତ କ୍ଷେତ୍ରର ଲିଷ୍ଟ ପ୍ରସ୍ତୁତ କରିସାରିଛନ୍ତି । ତେବେ ସର୍ବପ୍ରଥମେ ରେଳ, ଗ୍ୟାସ ପାଇପଲାଇନ, ପୋର୍ଟ ଓ ଏୟାରପୋର୍ଟ ଆସେଟର ମନିଟାଇଜ କରାଯିବ । ଦେଶର ଅର୍ଥ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବା ପାଇଁ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏନେଇ ସରକାରୀ ସମ୍ପତିର ତାଲିକା ପ୍ରସ୍ତୁତ କରାଯିବା ସହ ଖୁବଶୀଘ୍ର ସେଗୁଡ଼ିକ ନିଲାମରେ ସାମିଲ ହେବେ ବୋଲି ନିତି ଆୟୋଗ ସିଇଓ ଅମିତାଭ କାନ୍ତ ସୂଚନା ଦେଇଛନ୍ତି ।

ଚଳିତ ଆର୍ଥିକ ବର୍ଷରେ ସରକାର ୮୦ ହଜାର କୋଟି ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି । ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସରକାରୀ ସମ୍ପତିକୁ ବିକ୍ରି କରାଯିବ ନାହିଁ, ଏହାର ପ୍ରକୃତ ମାଲିକାନା ସରକାରଙ୍କ ପାଖରେ ରହିବ । ମାତ୍ର ପ୍ରାଇଭେଟ ସଂସ୍ଥାଙ୍କ ପାଖରେ ଏହି ଆସେଟର ବ୍ୟବହାରିକ କ୍ଷମତା ରହିବ । ସରକାରୀ ସମ୍ପତିର ଲିଜ ପ୍ରକ୍ରିୟା ଆସନ୍ତା ୨୦୨୫ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟସୀମା ପୂରଣ ହୋଇଯିବା ପରେ ତାହା ସରକାରଙ୍କ ପାଖକୁ ପୁନର୍ବାର ଫେରିଆସିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ ।

ଗତ ମାସ ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୬ ଲକ୍ଷ କୋଟି ଟଙ୍କାର ନ୍ୟାସନାଲ ମନିଟାଇଜେସନ ପାଇପଲାଇନ (ଏନଏମପି) ଘୋଷଣା କରିଥିଲେ । ଇନଫ୍ରାଷ୍ଟ୍ରକଚର ଆସେଟକୁ ମନିଟାଇଜ କରିବା ଏହି ଯୋଜନାର ଲକ୍ଷ୍ୟ ରହିଥିବା ବେଳେ ଶକ୍ତି, ସଡ଼କ ଓ ରେଳ ବିଭାଗ ଏଥିରେ ସାମିଲ ରହିଥିଲା । ଏନେଇ ଅର୍ଥମନ୍ତ୍ରୀ କହିଥିଲେ ଯେ, ଏନଏମପିରେ ଆର୍ଥିକ ବର୍ଷ ୨୦୨୨ରୁ ୨୦୨୫ ଚାରିବର୍ଷ ମଧ୍ୟରେ କେନ୍ଦ୍ର ସରକାର ମୋଟ ୬ ଲକ୍ଷ କୋଟି ଯୋଗାଡ଼ କରିବେ । ଏହି ସମ୍ପତିର ମାଲିକାନା ସରକାରଙ୍କ ପାଖରେ ରହିବା ସହ ଏନେଇ ନିତି ଆୟୋଗ ସମସ୍ତ ମନ୍ତ୍ରଣାଳୟ ସହ ଆଲୋଚନା କରି ଏନଏମପି ଉପରେ ରିପୋର୍ଟ ପ୍ରସ୍ତୁତ କରିସାରିଛି । ଏହି ମନିଟାଇଜେସନ ମାଧ୍ୟମରେ ଇନଫ୍ରାଷ୍ଟ୍ରକଚର ପ୍ରସ୍ତୁତ ପାଇଁ ସହାୟତା ମିଳିବ । ଏହାଛଡ଼ା ପବ୍ଲିକ ଓ ପ୍ରାଇଭେଟ ସେକ୍ଟର ମିଳିମିଶି କାର୍ଯ୍ୟ କରିବା ସହ ଦେଶର ନାଗରିକଙ୍କୁ ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଅନେକ ସୁଫଳ ପ୍ରାପ୍ତ ହେବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.