fbpx

Facebook, Twitter, WhatsApp ଉପରେ ଲାଗିବ ଲଗାମ: କେନ୍ଦ୍ର ସରକାର ଗଠନ କରିବେ କମିଟି, ୟୁଜର୍ସ କରିପାରିବେ ଅଭିଯୋଗ

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ି ଚାଲିଥିବା ବେଳେ ଏନେଇ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି । ଅନେକ ସମୟରେ ସୋସିଆଲ ମିଡ଼ିଆ କମ୍ପାନୀମାନେ ୟୁଜର୍ସଙ୍କ ଅଭିଯୋଗର ସଠିକ୍ ସମାଧାନ କରିନଥାନ୍ତି । ଏଣିକି ୟୁଜର୍ସ କମ୍ପାନୀଙ୍କ ନିଷ୍ପତ୍ତି ବିରୋଧରେ ଅଭିଯୋଗ ଦାଖଲ କରିପାରିବେ । ଏଥିପାଇଁ ଖୁବଶୀଘ୍ର ଏକ କମିଟି ଗଠନ କରାଯିବ ।

ଯଦି ଫେସବୁକ, ଟ୍ୱିଟର ବା ଅନ୍ୟ କୌଣସି ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ନିଷ୍ପତ୍ତି ବିରୋଧରେ ଆପଣଙ୍କର କୌଣସି ଅଭିଯୋଗ ଥାଏ, ତେବେ ଏ କ୍ଷେତ୍ରରେ ଆପଣଙ୍କୁ ଆଶ୍ୱସ୍ତି ମିଳିପାରିବ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମର ନିଷ୍ପତ୍ତି ବିରୋଧରେ ୟୁଜର୍ସ ଅଭିଯୋଗ କରିପାରିବେ । ସେଥିପାଇଁ କେନ୍ଦ୍ର ସରକାର ଶିକାୟତ ଅପିଲୀୟ ସମିତି (ଜିଏସି) ଗଠନ କରିବା ନେଇ ବିଚାର କରୁଛନ୍ତି । ଏଥିସହିତ ଏହି କମିଟି ଏହି କ୍ଷେତ୍ର ସହିତ ଜଡ଼ିତ ଅନେକ ପ୍ରସଙ୍ଗ ଉପରେ ପରାମର୍ଶ ଦେଇପାରିବ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ଏହି କମିଟିର ପରାମର୍ଶ ପ୍ରକ୍ରିୟା ଜାନୁଆରୀ ମାସରୁ ଆରମ୍ଭ ହେବ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମଗୁଡ଼ିକ ସାମଗ୍ରୀ ଓ ଅନ୍ୟ ମାମଲାରେ ୟୁଜର୍ସଙ୍କର ଅଭିଯୋଗର ଉଚିତ ସମାଧାନ କରିନଥିବା ସରକାର ଉପଲବ୍ଧି କରିଛନ୍ତି । ତେଣୁ ଏଭଳି ସ୍ଥିତିରେ ୟୁଜର୍ସଙ୍କୁ ସଶକ୍ତ କରିବା ସହିତ ସୋସିଆଲ ମିଡ଼ିଆ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଏହି କମିଟି ଚାପ ପ୍ରୟୋଗ କରିବ । ଗତ ଅକ୍ଟୋବର ମାସରେ ଆଇଟି ନିୟମରେ ପରିବର୍ତ୍ତନ କରାଯାଇଥିଲା । ଉକ୍ତ ପରିବର୍ତ୍ତିତ ନିୟମ ଅନୁଯାୟୀ ଏହି କମିଟି ଗଠନ କରାଯାଇ କମ୍ପାନୀମାନଙ୍କର ନିଷ୍ପତ୍ତିକୁ ସମୀକ୍ଷା କରାଯାଇ ପାରିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ । ଏହାଦ୍ୱାରା କଣ୍ଟେଣ୍ଟକୁ ନେଇ ସମସ୍ତ ସୋସିଆଲ ମିଡ଼ିଆ ଉପରେ ନିୟନ୍ତ୍ରଣ ରଖାଯାଇ ପାରିବ ।

Get real time updates directly on you device, subscribe now.