fbpx

ଆଜି ଓଡ଼ିଶା ଆସିବେନି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ: ଗସ୍ତ ବାତିଲ ନେଇ ସୂଚନା

ଓଡ଼ିଶା ଭାସ୍କର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଥିବା ବେଳେ ରାଜ୍ୟ ରାଜନୀତି ଏବେ ପୁରା ସରଗରମ। ଗୋଟିଏ ପଟେ ଶାସକ ବିଜେଡି ପୁଣିଥରେ କ୍ଷମତାକୁ ଆସିବା ନେଇ ଦମ୍ଭୋକ୍ତି ରଖୁଥିବା ବେଳେ ଅନ୍ୟପଟେ ସରକାର ଗଢିବା ଆଶା ରଖି ଉଭୟ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। ନିକଟରେ କଂଗ୍ରେସ ପକ୍ଷରୁ ରାଷ୍ଟ୍ରୀୟ ଅଧକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀ ଓଡିଶା ଗସ୍ତ କରିଥିବା ବେଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଏକାଧିକ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ କରିସାରିଛନ୍ତି । ଏହା ସହ ଆଗକୁ ବିଜେପିରଆହୁରି ବହୁ ଶୀର୍ଷ ନେତୃତ୍ୱ ଓ ପଦାଧିକାରୀ ବ୍ୟକ୍ତି ଓଡ଼ିଶା ଆସିବା ନେଇ ସୂଚନା ମିଳିଥିଲା।

ତେବେ ଆଜି ଅର୍ଥାତ ୧୫ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଓଡ଼ିଶା ଆସିବାରେ କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଆଜି ସେ ଓଡ଼ିଶା ଆସୁନଥିବା ଜଣାପଡିଛି। ଯଦିଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଏହା ଏକ ସରକାରୀ କାର୍ଯ୍ୟକ୍ରମ ପାଇଁ ଗସ୍ତ ରହିଥିଲା କିନ୍ତୁ ତାଙ୍କର ଏହି ଗସ୍ତ ଆଜି ବାତିଲ ହୋଇଛି। ବ୍ୟକ୍ତିଗତ କାରଣ ପାଇଁ ସେ ତାଙ୍କର ଏହି ଗସ୍ତ ବାତିଲ କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ନିଜ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି।

ଏଠାରେ କହି ରଖୁ ଯେ, ପୁରୀରେ ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ନିର୍ମାଣ କାମର ଶିଳାନ୍ୟାସ ପାଇଁ ଗଡ଼କରୀ ଓଡିଶା ଆସିଥାନ୍ତେ। ହେଲେ ଗସ୍ତ ବାତିଲ ହେବାରୁ ସେ ଭିଡିଓ କନ୍ଫରେନ୍ସିଂରେ ଯୋଡି ହୋଇ ପୁରୀରେ ସିଦ୍ଧମହାବୀର ରେଳ ଓଭରବ୍ରିଜ୍ ନିର୍ମାଣ କାମର ଶିଳାନ୍ୟାସ କରିବେ । ନୀତିନ ଗଡ଼କରୀଙ୍କ ସ୍ଥାନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରେ ଉପସ୍ଥିତ ରହିବେ। ସେହିପରି ଭର୍ଚୁଆଲରେ ଯୋଡି ହୋଇ ୬ ହଜାର ୬ଶହ କୋଟି ଟଙ୍କା ପୁଞ୍ଜିନିବେଶରେ ମୋଟ୍ ୨୮ଟି ଏନ୍ଏଚ୍ ପ୍ରକଳ୍ପର ଭୂମିପୂଜା ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ।

 

Get real time updates directly on you device, subscribe now.