fbpx

ଫ୍ରେଶର୍ସଙ୍କ ପାଇଁ ଚାକିରି: ଆସନ୍ତା ୬ ମାସରେ ୪୦ ହଜାରରୁ ଅଧିକ ନିଯୁକ୍ତି ଦେବେ ଭାରତୀୟ ଆଇଟି କମ୍ପାନୀ- ରିପୋର୍ଟ

ନୂଆଦିଲ୍ଲୀ: ଯଦି ଆପଣ ନିକଟରେ ଶିକ୍ଷା ସମାପ୍ତ କରିଛନ୍ତି, ଆପଣଙ୍କର କାର୍ଯ୍ୟ କ୍ଷେତ୍ରରେ କୌଣସି ଅଭିଜ୍ଞତା ନାହିଁ ଓ ଚାକିରି ସନ୍ଧାନରେ ରହିଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଖୁବଶୀଘ୍ର ୪୦ ହଜାରରୁ ଅଧିକ ଫ୍ରେଶର୍ସଙ୍କୁ ଭାରତୀୟ ଆଇଟି କମ୍ପାନୀମାନେ ନିଯୁକ୍ତି ଦେବେ । ଆସନ୍ତା ୬ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଫ୍ରେଶର୍ସମାନେ ନିଯୁକ୍ତି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି ।

ଏକ ରିପୋର୍ଟ ମୁତାବକ, ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବଢ଼ୁଥିବା ବେଳେ ନିର୍ମାଣ କ୍ଷେତ୍ରରେ ୧୫-୩୦ ପ୍ରତିଶତରୁ ଅଧିକ ସ୍ନାତକଙ୍କୁ ନିଯୁକ୍ତି ଦିଆଯିବାର ସମ୍ଭାବନା ରହିଛି । ନିଯୁକ୍ତି ଫାର୍ମ ଲିମଲିଜ ଡିଜିଟାଲର ଏକ ବିଶେଷଣରୁ ଜଣାପଡ଼ିଛି, ଆଇଟି ଉଦ୍ୟୋଗରେ କୃତ୍ରିମ ବୁଦ୍ଧିମତା (ଏଆଇ) ଓ ଉଚ୍ଚ ପ୍ରଦର୍ଶନ କମ୍ପ୍ୟୁଟିଂର ଚାହିଦା ବିଶ୍ୱରେ ବଢ଼ିବାରେ ଲାଗିଛି । ତେଣୁ ସେହି ଚାହିଦାକୁ ପୂରଣ କରିବା ପାଇଁ କମ୍ପାନୀମାନେ ବିଭିନ୍ନ ପଦ ପାଇଁ ପ୍ରାର୍ଥୀଙ୍କୁ ହାୟର କରିବେ ।

ତେବେ ଆଇଟି କ୍ଷେତ୍ରରେ ଫ୍ରେଶର୍ସଙ୍କୁ ନିଯୁକ୍ତି ଗତ ୨୦୨୩ରେ ୪୯ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ତାହା ୪୨ ପ୍ରତିଶତକୁ ଖସି ଆସିଛି । ଚଳିତ ବର୍ଷ ଜାନୁଆରୀ-ଜୁନ ମଧ୍ୟରେ ନିଯୁକ୍ତି ସମ୍ଭାବନା ୬୮ ପ୍ରତିଶତ ରହିଥିବା ବେଳେ ଗତବର୍ଷ ସମାନ ଅବଧିରେ ୬୨ ପ୍ରତିଶତ ରହିଥିଲା । ଇ-କମର୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ୫୫ ପ୍ରତିଶତ, ଇଞ୍ଜିନିୟରି ଓ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ୫୩ ପ୍ରତିଶତ, ଦୂରସଞ୍ଚାର କ୍ଷେତ୍ରରେ ୫୫ ପ୍ରତିଶତ ନିଯୁକ୍ତି ପାଇ ପାରନ୍ତି । ନିର୍ମାଣ କମ୍ପାନୀମାନେ ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୧୫-୩୦ ପ୍ରତିଶତରୁ ଅଧିକ ସ୍ନାତକଙ୍କୁ ନିଯୁକ୍ତି ଦେଇ ପାରନ୍ତି ।

ଖୁଚୁରା କ୍ଷେତ୍ରରେ ୪୬ ପ୍ରତିଶତ, ହେଲଥକେୟାର କ୍ଷେତ୍ରରେ ୪୪ ପ୍ରତିଶତ ଓ ଲଜିଷ୍ଟିକ୍ସ କ୍ଷେତ୍ରରେ ୩୨ ପ୍ରତିଶତ ଫ୍ରେଶର୍ସ ଚାକିରି ପାଇବାର ସମ୍ଭାବନା ରହିଛି । ସେହିପରି ମନୋରଞ୍ଜନ କ୍ଷେତ୍ରରେ ୧୮ ପ୍ରତିଶତ, କନସଲ୍ଟିଂ କ୍ଷେତ୍ରରେ ୧୦ ପ୍ରତିଶତ, ମାର୍କେଟିଂ ଓ ବିଜ୍ଞାପନ କ୍ଷେତ୍ରରେ ୬ ପ୍ରତିଶତ ଧୀମା ରହିବାର ସମ୍ଭାବନା ରହିଛି । ଚଳିତ କ୍ୟାଲେଣ୍ଡର ବର୍ଷର ପ୍ରଥମ ୬ ମାସରେ ଫ୍ରେଶର୍ସମାନେ କେମିକାଲ ଇଞ୍ଜିନିୟର, ଜୁନିୟର ପ୍ରଡକ୍ଟ ଆନାଲିଷ୍ଟ, ଗ୍ରାଫିକ୍ସ ଡିଜାଇନର, ଆର୍କିଟେକ୍ଟ, ମାଇକ୍ରୋବାୟୋଲୋଜିଷ୍ଟ, ଫାଇନାନ୍ସିଆଲ ଆନାଲିଷ୍ଟ, ଡିଜିଟାଲ ମାର୍କେଟିଂ ଏକଜିକ୍ୟୁଟିଭ୍ ଆଦି ପଦରେ ନିଯୁକ୍ତି ପାଇବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.