ନିଆରା DIgital Marriage, Video Callରେ ବାହା ହେଲେ ଯୁବକ: ଛୁଟି ଦେବାକୁ ମନା କରୁଥିଲେ Boss

ନୂଆଦିଲ୍ଲୀ: ଆଜିକାଲି ବାହାଘରରେ ଅନେକ ପ୍ରକାରର ପରମ୍ପରା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ଅଲଗା ଅଲଗା ରୀତି ନୀତି ଅନୁସାରେ ବାହାଘର ଅନୁଷ୍ଠିତ ହେଉଛି । କିନ୍ତୁ ଭିଡିଓ କଲରେ ବାହାଘର ହେବାର ଘଟଣା କେବେ ଶୁଣିଛନ୍ତି କି? କଥାଟା ଶୁଣିବାକୁ ଅଜବ ଲାଗୁଥିବ ନିଶ୍ଚିତ । କିନ୍ତୁ ଏହା ଏକଦମ୍ ସତ । ଅଫିସରୁ ଛୁଟି ମିଳିଲାନି ବୋଲି ଜଣେ ବ୍ୟକ୍ତି ଭିଡିଓ କଲ୍ ଜରିଆରେ ହିଁ ବିବାହ କରିଛନ୍ତି । ବର ତୁର୍କୀରେ ଏବଂ କନ୍ୟା ଥିଲେ ହିମାଚଳ ପ୍ରଦେଶରେ, ଏହାପରେ ବି ଉଭୟ ପରସ୍ପରକୁ ବିବାହ କରି ଜୀବନସାଥୀ ଭାବରେ ଗ୍ରହଣ କରିଛନ୍ତି । ଅଦନାନ ମୁହମ୍ମଦଙ୍କ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ହିମାଚଳ ପ୍ରଦେଶ ବିଳାସପୁରର ଅଦନାନ ମୁହମ୍ମଦ ତୁର୍କୀରେ ରହି ଚାକିରି କରୁଛନ୍ତି । ତେବେ ଅଦନାନଙ୍କ ପତ୍ନୀ ଘରେ ରହୁଥିବା ବେଳେ ତାଙ୍କ ଜେଜେବାପା ଅସୁସ୍ଥ ରହିଥିଲେ । ତେଣୁ ସେ ଝିଅଙ୍କ ନିକାହ ଯଥାଶୀଘ୍ର ସମ୍ପନ୍ନ କରିବାକୁ ଚାହୁଁଥିଲେ । କିନ୍ତୁ ସେପଟେ ଅଦନାନଙ୍କୁ ବିବାହ ପାଇଁ ଛୁଟି ଦେବାକୁ ରାଜି ହୋଇନଥିଲେ ଅଫିସର ବସ୍ । ତେଣୁ ଉଭୟ ପରିବାର ଏକ ଭର୍ଚୁଆଲ ବିବାହ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଉଭୟ ଦମ୍ପତି ଭିଡିଓ କଲ୍ ଜରିଆରେ ଯୋଡ଼ି ହୋଇଥିବା ବେଳେ କାଜି ସେମାନଙ୍କର ବିବାହ କରାଇଛନ୍ତି । ଭିଡିଓ କଲରେ ଉଭୟ ଦମ୍ପତି ୩ ଥର କୁବୁଲ-କୁବୁଲ କହି ବିବାହକୁ ସ୍ୱୀକୃତି ଦେଇଛନ୍ତି । ଏହାସହିତ ଉଭୟଙ୍କର ଏକ ନିଆରା ବିବାହ ସମ୍ପନ୍ନ ହୋଇଛି ।

ଏହାପୂର୍ବରୁ ଗତବର୍ଷ ମଧ୍ୟ ହିମାଚଳରେ ଏକ ଭର୍ଚୁଆଲ ବିବାହ ସମ୍ପନ୍ନ ହୋଇଥିଲା । ସିମଲାର କୋଟଗଢ଼ର ଆଶିଷ ସିନ୍ଧା ଏବଂ କୁଲ୍ଲୁ ଭୂନ୍ତର ଅଞ୍ଚଳର ଶିବାନୀ ଠାକୁର ପରସ୍ପରକୁ ଭର୍ଚୁଆଲ ମ୍ୟାରେଜ କରିଥିଲେ । ତେବେ ଏହି କ୍ଷେତ୍ରରେ ଚାକିରିରୁ ଛୁଟି ନ ମିଳିବାର ସମସ୍ୟା ନଥିଲା । ସାରା ଅଞ୍ଚଳରେ ବନ୍ୟାର ତାଣ୍ଡବ ଏବଂ ଭୂସ୍ଖଳନ ଯୋଗୁଁ ଏଭଳି ଏକ ବିବାହ ଅନୁଷ୍ଠିତ ହୋଇଥିଲା ।