ନିଆରା ନିଯୁକ୍ତି ଅଫର! ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇଲେ ମିଳିବ ୫ ଲକ୍ଷ, ୩ ଅଭିଯୁକ୍ତ ଗିରଫ
ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇବା ନାଁରେ ଲକ୍ଷ ଲକ୍ଷ ଠକୁଥିବା ୩ ଅଭିଯୁକ୍ତ ଗିରଫ । ସାଇବର ଅପରାଧର ପର୍ଦ୍ଦାଫାଶ କଲା ପୋଲିସ ।
ପାଟନା: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିଜ୍ଞାପନ ପ୍ରକାଶିତ ହେଉଛି ଯାହା ମୋଟା ଅଙ୍କର ଟଙ୍କା ରୋଜଗାର କରିବା ନାଁରେ ଲୋକଙ୍କୁ ଭୂଆଁ ବୁଲାଉଛି ।
ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇବା ନାଁରେ ନିରୀହ ଲୋକଙ୍କୁ ନିଜ ଜାଲରେ ଫସାଉଥିଲେ କିଛି ଦୁର୍ବୃତ୍ତ । ଏଭଳି ଏକ ମାମଲା ଦେଖିବାକୁ ମିଳିଛି ବିହାରରେ ।
ପ୍ରକୃତ ଘଟଣା: ବିହାର ସ୍ଥିତ ନୱାଦା ଜିଲ୍ଲା ନାରଦିଗଞ୍ଜ ଥାନା ଅଞ୍ଚଳର କହୁଆରା ଗାଁରେ କିଛି ସାଇବର ଠକ ସକ୍ରିୟ ଥିଲେ ।
ଏହି ଠକମାନେ ଦେଶର ବିଭିନ୍ନ ରାଜ୍ୟର ଲୋକଙ୍କୁ କଲ୍ କରି ନିଯୁକ୍ତି ଅଫର ବିଷୟରେ ଜଣାଉଥିଲେ ।
ଏହି ଚାକିରି ଆଳରେ ସେମାନଙ୍କୁ ଲକ୍ଷାଧିକ ଟଙ୍କାର ଲୋଭ ଦେଖାଇ ନିଜ ଜାଲରେ ଫସାଉଥିଲେ ।
ଠକଙ୍କ କାରନାମା: ସେମାନେ ଆଲ୍ ଇଣ୍ଡିଆ ପ୍ରେଗନେଣ୍ଟ୍ ଜବ୍(ବେବି ବର୍ଥ ସର୍ଭିସ), ପ୍ଲେ ବୟ ସର୍ଭିସ ଇତ୍ୟାଦି ନାଁରେରେ ଲୋକଙ୍କୁ ଚାକିରି ଲୋଭ ଦେଖାଉଥିଲେ ।
ଏମିତିକି ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରାଇଲେ ସେମାନଙ୍କୁ ୫ ଲକ୍ଷ ଟଙ୍କା ମିଳିବ ବୋଲି ମଧ୍ୟ ଅଫର ଦେଉଥିଲେ ।
ଅନ୍ୟପଟେ ସନ୍ତାନ ନହେଲେ ୫୦ ହଜାର ଟଙ୍କା ମିଳିବ ବୋଲି ପ୍ରତିଶ୍ରୁତି ଦେଉଥିଲେ ।
ପଞ୍ଜିକରଣ ନାଁରେ ଲୁଟ୍: କୌଣସି ବ୍ୟକ୍ତିଙ୍କ ଠକଙ୍କ ଜାଲରେ ଛନ୍ଦି ହେଲେ ସେମାନଙ୍କ ଠାରୁ ପଞ୍ଜିକରଣ ନାଁରେ ମୋଟା ଅଙ୍କର ଫି ଚାର୍ଜ କରୁଥିଲେ ।
ଅନଲାଇନ୍ ପେମେଣ୍ଟ ମାଧ୍ୟରେ ପଞ୍ଜିକରଣ ଶୁଳ୍କ ୫୦୦ରୁ ଆରମ୍ଭ କରି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା ।
ପୋଲିସ ହାତରେ ଫୁଟେଜ୍: ନୱାଦାରେ ସାଇବର ଠକଙ୍କ ଏଭଳି କାରନାମା ବିଷୟରେ ଖବର ପାଇ ପୋଲିସ ଠିକଣା ସ୍ଥାନରେ ଚଢ଼ାଉ କରିଥିଲା ।
ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ପାଖରୁ ୬ଟି ଆଣ୍ଡ୍ରଏଡ୍ ମୋବାଇଲ ଜବତ କରାଯାଇଥିଲା ।
ମୋବାଇଲ ଯାଞ୍ଚ୍ ସମୟରେ ହ୍ୱାଟ୍ସଆପ୍ ଫଟୋ, ଭିଡିଓ ଏବଂ ଲେଣଦେଣ ଟ୍ରାନଜାକ୍ସନର ପ୍ରମାଣ ମିଳିଥିଲା ।
ଗିରଫ ସାଇବର ଠକ:
ଗିରଫ ହୋଇଥିବା ସାଇବର ଠକ ହେଉଛନ୍ତି ନୱାଦା ନାରଦିଗଞ୍ଜ ଥାନା କହୁଆରା ଗାଁର ରାହୁଲ କୁମାର(୧୯), ଭୋଲା କୁମାର(୨୦) ଏବଂ ପ୍ରିନ୍ସ ରାଜ୍ ଓରଫ ପଂକଜ କୁମାର(୨୦) ।
ଧରାପଡ଼ିଥିବା ୩ ଜଣ ସାଇବର ଠକ ପୂର୍ବରୁ ଏଭଳି ମାମଲାରେ ଲିପ୍ତ ଥିବା ନେଇ କହିଛନ୍ତି ଡିଏସପି ମୁଖ୍ୟାଳୟ ଇମରାନ ପରଭେଜ୍ ।