fbpx

ଓଡ଼ିଶାକୁ ପ୍ରଶଂସା କଲା ମିଳିତ ଜାତିସଂଘ: ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଅବଦାନ ଅତୁଳନୀୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ବେଶ୍ ସଫଳତା ହାସଲ କରିଛି । ଓଡ଼ିଶାର ମାଣ୍ଡିଆ ଆଜି ବିଶ୍ୱ ବଜାରରେ ଉପଲବ୍ଧ ହେଲାଣି । ଗତ ଦୁଇବର୍ଷ ଧରି ପୁରୁଷ ହକି ବିଶ୍ୱକପର ଆୟୋଜନ କରି ଓଡ଼ିଶା ହକିର ଏନ୍ତୁଡ଼ିଶାଳା ଭାବେ ପରିଚିତ ହୋଇଛି । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟକୁ ବହୁ ଜାତୀୟ, ଅନ୍ତର୍ଜାତୀୟ ପୁରସ୍କାର ମିଳିଛି ।

ତେବେ ଏହା ମଧ୍ୟରେ ରାଜ୍ୟ ପାଇଁ ଆସିଛି ପୁଣି ଏକ ଖୁସି ଖବର । ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀକୁ ମିଳିତ ଜାତିସଂଘ ଉଚ୍ଚ ପ୍ରଶଂସା କରିଛି । ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ଫଳରେ ବହୁ ଧନଜୀବନ ସୁରକ୍ଷିତ ହୋଇ ପାରିଥିଲା । ଏଥିପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ସଫଳତାର ସହିତ କାର୍ଯ୍ୟ କରିଥିଲେ । ଓଡ଼ିଶାର ଏହି କାର୍ଯ୍ୟକୁ ଜାତିସଂଘ ଉଚ୍ଚ ପ୍ରଶଂସା କରିଛି ।

ରାଜ୍ୟର ୧୦ ହଜାର ଗ୍ରାମରେ ଗୋଷ୍ଠୀ ନେତୃତ୍ୱାଧୀନ ବିପର୍ଯ୍ୟୟ ପରିଚାଳନା ଯୋଜନା କରାଯାଉଛି । ବିପର୍ଯ୍ୟୟ ପରିଚାଳନାକୁ ଶିକ୍ଷା ପାଠ୍ୟକ୍ରମରେ ମଧ୍ୟ ରାଜ୍ୟ ସରକାର ସାମିଲ କରିଛନ୍ତି । ମହିଳା ସ୍ୱୟଂ ସହାୟିକା (ଏସଏଚଜି) ଗୋଷ୍ଠୀକୁ ବିପର୍ଯ୍ୟୟ ପରିଚାଳନାରେ ସାମିଲ କରାଯିବା ସହିତ ଗଞ୍ଜାମ ଜିଲ୍ଲାରେ ‘ସ୍ୱୟଂସିଦ୍ଧା’ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ରାଜ୍ୟ ମିଶନ ଶକ୍ତି ବିଭାଗ ଏ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବ । ଫଳରେ ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯିବ ।

ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ ‘ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ’ ପୁରସ୍କାର ପ୍ରଦାନ କରାଯାଇଛି । ଲୋକଙ୍କୁ ବାତ୍ୟା ବିପର୍ଯ୍ୟୟ ପୂର୍ବରୁ ଏସଏମଏସ ଜରିଆରେ ସତର୍କ କରାଇବା ପାଇଁ ଉପକୂଳବର୍ତ୍ତୀ ଅଞ୍ଚଳରେ ୧୨୨ଟି ଆଲର୍ଟ ସାଇରନ୍ ଟାୱାର ସ୍ଥାପନ କରାଯାଇଛି ।

Get real time updates directly on you device, subscribe now.