fbpx

ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଯୁକ୍ତି କ୍ଷମତା ଦିଆଯିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ‘ବିଶ୍ୱବିଦ୍ୟାଳୟ ନିୟମରେ ପୁରୁଣା ଢାଞ୍ଚାକୁ ଆପଣାଯିବ। ପୁଣି ବିଶ୍ୱବିଦ୍ୟାଳୟରେ ସିନେଟ୍ ବ୍ୟବସ୍ଥା ରହିବ । ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ରତା ବଜାୟ ରହିବ । ସବୁଠାରୁ ବଡ଼ କଥା ହେଲା ଯେ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିଯୁକ୍ତି କ୍ଷମତା ଦିଆଯିବ। ଏନେଇ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି’ ବୋଲି ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।

ବିଶ୍ୱବିଦ୍ୟାଳୟରେ ସିନେଟ ପୁନଃ ସ୍ଥାପନ ହେବ । ୨୦୨୦ ରେ ସିନେଟକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇଥିବା ବେଳେ ପୁନଃ ସ୍ଥାପନା ପାଇଁ ସରକାର ଚିନ୍ତା କରୁଥିବା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ପୂର୍ବରୁ ବିଶ୍ଵବିଦ୍ୟାଳୟରେ ୧୦୦ ଜଣିଆ ସିନେଟ୍ ରହିଥିଲା । ଯେଉଁ ସିନେଟ୍ ବିଶ୍ଵବିଦ୍ୟାଳୟର ଭିତ୍ତିଭୂମି ସହିତ ବିଭିନ୍ନ ପଲିସି ନେଇ ସିଣ୍ଡିକେଟକୁ ପରାମର୍ଶ ଦେଉଥିଲା । କିନ୍ତୁ ୨୦୨୦ ବିଶ୍ଵବିଦ୍ୟାଳୟ ଆଇନ ସଂଶୋଧନ ସମୟରେ ସିନେଟକୁ ଭାଙ୍ଗି ଦିଆଯାଇଥିଲା । ଏବେ ପୁନଃ ସ୍ଥାପନ ପାଇଁ ବିଚାର ବିମର୍ଶ କରାଯାଉଛି । ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ବିଧାନସଭାରେ ପ୍ରତିକ୍ରିୟା ରଖିଛନ୍ତି । ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ପଦବୀ ପୂରଣ ନେଇ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ବିଶ୍ଵବିଦ୍ୟାଳୟ କମିଟି ଦ୍ୱାରା ଅଧ୍ୟାପକ ଚୟନ କରାଯିବ । ଏ ନେଇ UGCକୁ ପ୍ରସ୍ତାବ ଦେବ ବିଭାଗ । ବିଶ୍ଵବିଦ୍ୟାଳୟ ଆଇନର ସଂଶୋଧନ ପାଇଁ ସରକାର ବିଚାର କରୁଛନ୍ତି କି ବୋଲି ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ବିଜେଡି ସରକାର ସମୟରେ ବିଶ୍ଵବିଦ୍ୟାଳୟ ଆଇନ ସଂଶୋଧନ କରାଯାଇଥିବା ବେଳେ ପୁନର୍ବାର ବିଶ୍ଵବିଦ୍ୟାଳୟ ଆଇନ ସଂଶୋଧନ କରାଯିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ଵବିଦ୍ୟାଳୟ ଆଇନ ସଂଶୋଧନ ପାଇଁ ଚିଠି ଲେଖିଛନ୍ତି ।

Get real time updates directly on you device, subscribe now.