fbpx

UIDAIର ନୂଆ ନିୟମ: Aadhaar Cardର ଅପବ୍ୟବହାର କଲେ ଦେବାକୁ ପଡ଼ିବ ୧ କୋଟି ପର୍ଯ୍ୟନ୍ତ ଜରିମାନା

ନୂଆଦିଲ୍ଲୀ: ଭାରତ ସରକାର ଆଧାର ନିୟମାବଳୀର ଉଲ୍ଲଂଘନକାରୀଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛନ୍ତି । ଏହି କାନୁନ ପାରିତ ହେବାର ପ୍ରାୟ ଦୁଇବର୍ଷ ପରେ ସରକାର ଉକ୍ତ ନିୟମର ଅଧିସୂଚନା ଜାରି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଧାର ନିୟମର ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏଥିସହିତ ଦୋଷୀମାନଙ୍କ ଉପରେ ୧ କୋଟି ପର୍ଯ୍ୟନ୍ତ ଅର୍ଥଦଣ୍ଡ ଲାଗୁ କରାଯିବ ବୋଲି ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଛି ।

ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ, ନିଯୁକ୍ତି ପାଇଥିବା ଅଧିକାରୀମାନେ ସମସ୍ତ ମାମଲାର ନିଷ୍ପତ୍ତି ନେବା ସହ ଏପରି ଠକାମି କାର୍ଯ୍ୟରେ ଲିପ୍ତ ଥିବା ସଂସ୍ଥାଙ୍କ ଉପରେ ଜରିମାନା ଲାଗୁ କରିପାରିବେ । ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହିଁ ସରକାର ଆଧାର ଅଧିନିୟମ, ୨୦୧୯ରେ ସଂଶୋଧନ କରିଛନ୍ତି । ବ୍ୟକ୍ତିଗତ ସୁରକ୍ଷା ପାଇଁ ଆଇନରେ ସଂଶୋଧନ କରିବା ନିହାତି ଜରୁରୀ ବୋଲି ୟୁଆଇଡିଏଆଇକୁ ହୃଦବୋଧ ହୋଇଥିଲା । ତେବେ ସରକାରଙ୍କ ଯୁଗ୍ମ ସଚିବ ପାହ୍ୟାର ଜଣେ ଅଧିକାରୀ ଏହି ଦଣ୍ଡ ବିଧାନର ନିଷ୍ପତ୍ତି ଗ୍ରହଣ କରିବେ । ଉକ୍ତ ଅଧିକାରୀଙ୍କ ୧୦ ବର୍ଷ ବା ତହିଁରୁ ଅଧିକ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ସହ ଆଇନ ଓ ପ୍ରଶାସନ ବିଷୟରେ ଜ୍ଞାନ ଥିବା ଦରକାର । ଏହାଛଡ଼ା ତାଙ୍କ ପାଖରେ ସୂଚନା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟରେ ଅତି କମରେ ତିନି ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ନିୟମ ମୁତାବକ, ଉକ୍ତ ଅଧିକାରୀଙ୍କ ଦ୍ୱାରା ଲାଗୁ କରାଯାଇଥିବା ଜରିମାନା ୟୁଆଇଡିଏଆଇ କୋଷରେ ଜମା ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.