ନୂଆଦିଲ୍ଲୀ: ଜୋର୍ଡ଼ାନରେ ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ଡ୍ରୋନ୍ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ଏଥିପାଇଁ ଇରାନକୁ ଦାୟି କରିଲା ଆମେରିକା । ଏହା ସହ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ କରିଥିବା କହିଛି । ତେବେ ଏହି ଘଟଣାକୁ ନିନ୍ଦା କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।
ସୂଚନାରୁ ପ୍ରକାଶ ସିରିଆ ସୀମା ନିକଟ ଉତ୍ତରପୂର୍ବ ଜୋର୍ଡ଼ାନରେ ଆମେରିକୀୟ ସେନା କ୍ୟାମ୍ପ ଉପରେ ଏହି ଡ୍ରୋନ୍ ଆକ୍ରମଣ ହୋଇଥିଲା । ଇସରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଆମେରିକୀୟ ସୈନିକଙ୍କୁ ଟାର୍ଗେଟ କରାଯାଇଛି । ଏହି ଆକ୍ରମଣରେ ୩ ଜଣ ଆମରିକୀୟ ସୈନିକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଇଡେନ୍ । ଆମେ ଗତରାତି ବାହାଦୁର ସୈନିକଙ୍କୁ ହରାଇଛୁ ବୋଲି ସେ କହିଥିଲେ । କିନ୍ତୁ ଆମେରିକା ପକ୍ଷରୁ ଏହା ସ୍ୱଷ୍ଟ କରାଯାଇନାହିଁ ଯେ ସୈନ୍ୟ ବେସରେ ନିୟୋଜିତ ହୋଇଥିବା ଡିଫେନ୍ସ ସିଷ୍ଟମ ଡ୍ରେନକୁ ଅଟକାଇବାରେ କିପରି ବିଫଳ ହୋଇଗଲେ ।