fbpx

ଆମେରିକାରେ ଆହୁରି ମହଙ୍ଗା ଋଣରୁ ନିସ୍ତାର ନାହିଁ, ଦରଦାମ୍ କମାଇବାକୁ ପୁଣି ବଢିପାରେ ସୁଧହାର: ଫେଡେରାଲ ରିଜର୍ଭ ଅଧ୍ୟକ୍ଷ 

ନୂଆଦିଲ୍ଲୀ: ଆମେରିକାରେ ସୁଧହାର ବୃଦ୍ଧି ଆଗାମୀ ଦିନରେ ବୃଦ୍ଧି ଜାରି ରହିବ । ଫେଡେରାଲ ରିଜର୍ଭ ଅଧ୍ୟକ୍ଷ ଜେରୋମ ପାୱେଲ କହିଛନ୍ତି ଯେ, ଦେଶରେ ଦରଦାମ୍‌କୁ ନିୟନ୍ତ୍ରଣରେ ଆଣିବା ପାଇଁ ଆଗକୁ ସୁଧହାର ବଢାଇବାକୁ ପ୍ରସ୍ତୁତ ଅଛନ୍ତି । ଦେଶରେ ମୁଦ୍ରାସ୍ପୀତିକୁ ୨%କୁ ଆଣିବା ପାଇଁ କିଛି ସମୟ ଅର୍ଥନୀତି ଅଭିବୃଦ୍ଧି ପ୍ରକ୍ରିୟା ନିମ୍ନମୁଖୀ ରହିବା ଜରୁରୀ ।

ୱାୟୋମିଙ୍ଗରେ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ସମ୍ମିଳନୀକୁ ସମ୍ବୋଧିତ କରି ଜେରୋମ ପାୱେଲ କହିଛନ୍ତି ଯେ ଆବଶ୍ୟକ ହେଲେ ଆମେ ସୁଧ ହାର ବଢାଇବାକୁ ପ୍ରସ୍ତୁତ ଏବଂ ଏହି ପ୍ରକ୍ରିୟା ଜାରି ରହିବ ଯେପର୍ଯ୍ୟନ୍ତ ଆମେ ନିଶ୍ଚିତ ଯେ ମୁଦ୍ରାସ୍ଫୀତି ହାର ଆମର ଲକ୍ଷ୍ୟ ଆଡକୁ ଯାଉଛି ।

ତେବେ ଫେଡେରାଲ ରିଜର୍ଭ ପଲିସି ମେକର୍ସମାନେ ନିଷ୍ପତି ନେବେ ଯେ, ଏଠାରୁ ଆଗକୁ ସୁଧହାର ବୃଦ୍ଧି କରାଯିବ କି ନାହିଁ । ସେ କହିଛନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଏପର୍ଯ୍ୟନ୍ତ ସିଦ୍ଧାନ୍ତରେ ପହଞ୍ଚି ନାହିଁ ଯେ ବେଞ୍ଚମାର୍କ ସୁଧ ହାର ବର୍ତ୍ତମାନ ଏତେ ବୃଦ୍ଧି କରାଯାଇଛି ଯେ ମୁଦ୍ରାସ୍ଫୀତି ହାର ୨ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟରୁ କମ୍ ହୋଇଛି ।

ପାୱେଲ କହିଛନ୍ତି ଯେ ମୁଦ୍ରାସ୍ଫୀତି ହାରକୁ ୨ ପ୍ରତିଶତ ଲକ୍ଷ୍ୟକୁ ଆଣିବା ଫେଡର ଦାୟିତ୍ୱ ଅଟେ ଏବଂ ଆମେ କୌଣସି କ୍ଷେତ୍ରରେ ତାହା କରିବୁ । ସେ କହିଛନ୍ତି ଯେ ଗତ ବର୍ଷ ମଧ୍ୟରେ ଆମେ ନୀତି କଡାକଡି କରିଛୁ । ମୁଦ୍ରାସ୍ଫୀତି ହାର ଏହାର ଉଚ୍ଚ ସ୍ତରରୁ ହ୍ରାସ ପାଇଛି କିନ୍ତୁ ତଥାପି ଏହା ବହୁତ ଉଚ୍ଚ ଅଟେ । ଆବଶ୍ୟକ ହେଲେ ସୁଧ ହାର ବୃଦ୍ଧି କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ତେବେ ଦେଶରେ ଦରଦାମ୍ ବୃଦ୍ଧି ପରେ ଲୋକମାନେ କମ୍ ଖର୍ଚ୍ଚ କରୁଥବା ପ୍ରଶ୍ନରେ ସେ କହିଛନ୍ତି ଯେ, ଲୋକମାନେ ଏବେ ହାତ ଖୋଲି ଖର୍ଚ୍ଚ କରୁଛନ୍ତି ଏବଂ ଗୃହ ବିଭାଗରେ ପୁଣିଥରେ ଏହି ଅଭିବୃଦ୍ଧି ଦେଖିବାକୁ ମିଳୁଛି । ସେ କହିଛନ୍ତି ଯେ ଯଦି ଅର୍ଥନୀତିରେ ଅଭିବୃଦ୍ଧି ଦେଖାଯାଏ, ତେବେ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିପାରେ, ଯେଉଁଥିପାଇଁ ମୁଦ୍ରା ନୀତିକୁ କଡାକଡି କରିବାକୁ ପଡିବ ।

Get real time updates directly on you device, subscribe now.