fbpx

ଆଉ ଇସ୍ରାଏଲକୁ ସୈନ୍ୟ ସହାୟତା ଦେବନି ଆମେରିକା, କାହିଁକି ବଦଳିଗଲା ବାଇଡେନଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ: ଇସ୍ରାଏଲ ଓ ପାଲେଷ୍ଟାଇନର ଆତଙ୍କୀ ସଂଗଠନ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଏବେ ବୁଝାମଣା ଭିତ୍ତିରେ ସାମୟିକ ଭାବରେ ଯୁଦ୍ଧ ବନ୍ଦ ରହିଛି ଓ ଉଭୟ ପକ୍ଷରୁ ପଣବନ୍ଦୀମାନଙ୍କୁ ମୁକ୍ତ କରାଯିବା ପ୍ରକ୍ରିୟା ଜାରି ରହିଛି । ଏହି ଯୁଦ୍ଧ ଲାଗି ବିଶ୍ୱ କିନ୍ତୁ ଦୁଇ ଭାଗ ହୋଇଯାଇଛି । ଆମେରିକା, ବ୍ରିଟେନ ଓ ଭାରତ ପରି କିଛି ବଡ ବଡ ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବା ବେଳେ ଚୀନ୍‌, ପାକିସ୍ଥାନ, ଇରାନ ଓ କିଛି ଆରବ ଦେଶ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି । କିନ୍ତୁ ହମାସକୁ ନିପାତ କରିବା ଲକ୍ଷ୍ୟରେ ଗାଜାରେ ଇସ୍ରାଏଲ ପକ୍ଷରୁ ଜାରି ରହିଥିବା ଆକ୍ରମଣରେ ସାଧାରଣ ଜନତାଙ୍କ ବଳି ପଡିବା ଘଟଣାକୁ ଭାରତ ସହ ବିଶ୍ୱର ସବୁ ଦେଶ ନିନ୍ଦା କରୁଛନ୍ତି ।

ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଶୁକ୍ରବାର କହିଛନ୍ତି ଆମେରିକା ଆଉ ଇସ୍ରାଏଲକୁ ସୈନ୍ୟ ସହାୟତା ଯୋଗାଇବ ନାହିଁ । ବାଇଡେନ୍ କହିଛନ୍ତି ଇସ୍ରାଏଲକୁ କେବଳ କିଛି ସର୍ତ୍ତ ଆଧାରରେ ସୈନ୍ୟ ସହାୟତା ଯୋଗାଇ ଦିଆଯିବା ଉପରେ ବିଚାର କରାଯିବ । ଏହାସହିତ ବାଇଡେନ୍ ଆଶା ପ୍ରକାଶ କରିଛନ୍ତି କି ହମାସ ସହିତ ଆହୁରି ୪ ଦିନ ଯୁଦ୍ଧ ବନ୍ଦ ରହିବ । ମାସାଚୁସେଟସ୍‌ର ନାନଟୁକେଟ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାଇଡେନ୍ କହିଛନ୍ତି ସେ କିଛି ବନ୍ଧକଙ୍କ ମୁକ୍ତିକୁ ନେଇ ଅଧିକ ଉତ୍ସାହିତ ଅଛନ୍ତି ଓ ଆଶା କରୁଛନ୍ତି ଆଗକୁ ଆହୁରି ବନ୍ଧକଙ୍କୁ ମୁକ୍ତି ମିଳିବ ।

ତେବେ ନିକଟରେ ବନ୍ଧକମୁକ୍ତ କରାଯାଇଥିବା ଲୋକମାନଙ୍କ ମଧ୍ୟରେ ଇସ୍ରାଏଲର ୧୩, ଥାଇଲାଣ୍ଡର ୧୦ ଓ ଫିଲିପାଇନ୍ସର ଜଣେ ନାଗରିକ ଅଛନ୍ତି । ଏହା ବଦଳରେ ଇସ୍ରାଏଲ ୩୯ ଜଣ ପାଲେଷ୍ଟାଇନ ନାଗରିକଙ୍କୁ ଜେଲ୍‌ରୁ ମୁକ୍ତ କରିଛି । ବାଇଡେନ୍ କହିଛନ୍ତି ମୋତେ ଲାଗୁଛି ଏବେ ଇସ୍ରାଏଲକୁ କିଛି ସର୍ତ୍ତ ସହିତ ସୈନ୍ୟ ସହାୟତା ଦେବା ଠିକ୍ । କିନ୍ତୁ ଏହିସବୁ ସର୍ତ୍ତ କ’ଣ ରହିବ ସେ ଏ ବିଷୟରେ କିଛି ସୂଚନା ଦେଇନାହାନ୍ତି ।

Get real time updates directly on you device, subscribe now.