fbpx

ଆଫଗାନିସ୍ତାନ ମାମଲାରେ ଭାରତଠୁ ଗୁଇନ୍ଦା ତଥ୍ୟ ଚାହୁଁଛି ଆମେରିକା, ଡୋଭାଲଙ୍କୁ ଭେଟିଲେ ସିଆଇଏ ମୁଖ୍ୟ

ନୂଆଦିଲ୍ଲୀ : କାବୁଲରେ ତାଲିବାନର ଅକ୍ତିକାର ପରେ ଭାରତର ଭୂମିକା ବିଶ୍ୱ ସମୁଦାୟ ପାଇଁ ବହୁତ ଗୁରୁତ୍ୱ ବହନ କରୁଛି । ଏହି କ୍ରମରେ ଦିଲ୍ଲୀ ଆସିଥିବା ଆମେରିକା ଇଣ୍ଟେଲିଜେନ୍ସ ସିଆଇଏର ମୁଖ୍ୟ ୱିଲିୟମ ବର୍ଣ୍ଣସ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ମଙ୍ଗଳବାର ଦିଲ୍ଲୀରେ ସାକ୍ଷାତ କରିଛନ୍ତି । ବର୍ଣ୍ଣସ ଚାହୁଁଛନ୍ତି ଯେ, ଆଫଗାନିସ୍ତାନ ମାମଲାରେ ଭାରତ ଆମେରିକାକୁ ଗ୍ରାଉଣ୍ଡ ଗୁଇନ୍ଦା ତଥ୍ୟ ପ୍ରଦାନ କରୁ । ଆଫଗାନିସ୍ତାନରୁ ଆମେରିକା ସୈନିକଙ୍କ ଅପସାରଣ ପରେ ଭାରତ ଆଞ୍ଚଳିକ ସୁରକ୍ଷା ପାଇଁ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନରେ ବଡ ଭୂମିକା ନିର୍ବାହ କରୁ ବୋଲି ଆମେରିକା ଚାହୁଁଛି । ସୂତ୍ର ଅନୁଯାୟୀ, ଭାରତ ୱାଶିଂଟନ ସହ ଅଧିକରୁ ଅଧିକ ଗ୍ରାଉଣ୍ଡ ଇଣ୍ଟେଲିଜେନ୍ସ ତଥ୍ୟ ଆଦାନ ପ୍ରଦାନ କରୁ ଏବଂ କିଛି ଆଫଗାନ ନାଗରିକଙ୍କୁ ମଧ୍ୟ ନିଜ ଦେଶରେ ଆଶ୍ରୟ ଦେଉ ବୋଲି ଆମେରିକା ଇଚ୍ଛା ପ୍ରକାଶ କରିଛି ।

ଦ ହିନ୍ଦୁର ରିପୋର୍ଟ ଅନୁଯାୟୀ, ଆମେରିକାର ଗୁଇନ୍ଦା ଏବଂ ସୁରକ୍ଷା ଅଧିକାରୀ ସଂପ୍ରତି ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି । ସିଆଇଏ ମୁଖ୍ୟଙ୍କ ନେତୃତ୍ୱରେ ଆମେରିକାର ପ୍ରତିନିଧିମଣ୍ଡଳ ପାକିସ୍ତାନ ମଧ୍ୟ ଗସ୍ତ କରିବେ । ମିଡିଆ ରିପୋର୍ଟ ଅନୁଯାୟୀ, ଆମେରିକା ଅଧିକାରୀ ମଙ୍ଗଳବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ ଆଫଗାନିସ୍ତାନର ସାଂପ୍ରତିକ ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । କାବୁଲରୁ ଲୋକଙ୍କୁ ବାହାର କରାଯିବା ପ୍ରସଙ୍ଗରେ ମଧ୍ୟ ଉଭୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏଥିସହ ତାଲିବାନର ଅନ୍ତରୀଣ ସରକାର ବିଷୟରେ ଦୁହିଁଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିବା କୁହାଯାଉଛି ।

 

 

 

Get real time updates directly on you device, subscribe now.