fbpx

ଏପରି ଭାବରେ ବ୍ୟବହାର କରନ୍ତୁ ଅରଖ ଗଛ : ପେଟ ସମ୍ବନ୍ଧୀୟ ସମସ୍ୟା ଭଳି ଅନେକ ରୋଗରୁ ମିଳିବ ମୁକ୍ତି

ଆମ ଆଖପାଖରେ ଏପରି ଅନେକ ଗଛ ଅଛି, ଯାହାର ଭଲ ଗୁଣ ସବୁ କହିଲେ ସରିବନି । ଆମେ ସେସବୁକୁ ଅଣଦେଖା କରିଥାଉ ଆଉ ଖୋଜି ହେଉଥାଉ ରୋଗର ଔଷଧ । ହେଲେ ଏହି ସବୁ ଗଛ ଔଷଧର ଭଣ୍ଡାର ହୋଇଥାଏ । ସେହିପରି ଗୋଟିଏ ଗଛ ହେଉଛି ଅରଖ । ତେବେ ଅରଖ ଗଛ ରାସ୍ତା କଡ଼ ଅବା ପଡ଼ିଆ ଭିତରେ ଯେକୌଣସି ସ୍ଥାନରେ ଉଠିଥାଏ । ଏହି ଗଛ ଔଷଧୀୟ ଗୁଣରେ ଭରପୂର ।

ଏହାର କ୍ଷୀର, ପତ୍ର ଏବଂ ମୂଳର ପ୍ରତ୍ୟେକ ଅଂଶରେ ରହିଛି ଔଷଧୀୟ ଗୁଣ । ଅରଖର ବ୍ୟବହାର ଦ୍ୱାରା ଶରୀରର ଅନେକ ରୋଗ ଦୂର ହୋଇଥାଏ । ବିଭିନ୍ନ ପ୍ରକାର ଯନ୍ତ୍ରଣାରୁ ମୁକ୍ତି ମିଳି ଥାଏ । ଏହା ମୁଣ୍ଡବିନ୍ଧା, କାନ ଓ ପାଦ ଯନ୍ତ୍ରଣା ଏବଂ ଅର୍ଶ ଭଳି ସମସ୍ୟା ଠାରୁ ବହୁତ ଶୀଘ୍ର ଆରାମ ଦେଇଥାଏ । ଯଦି ଆପଣଙ୍କର ସେଭଳି କିଛି ସମସ୍ୟା ଦେଖା ଦେଉଥାଏ ତେବେ ଅରଖକୁ ବ୍ୟବହାର କଲେ ଏହା ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଆୟୁର୍ବେଦିକ ଡ଼ାକ୍ତରଙ୍କ ଅନୁସାରେ, ଅରଖ ଗଛକୁ ମଦାର କୁହାଯାଏ । ଆପଣମାନେ ଜାଣିଥିବେ ଏହି ଗଛକୁ ଆପଣଙ୍କୁ ଲଗାଇବାକୁ ପଡି ନଥାଏ, କାରଣ ଅରଖ ଗଛ ଯେକୌଣସି ସ୍ଥାନରେ ଉଠିଥାଏ । ଏହା ଦୁଇ ପ୍ରକାର । କଳା ଏବଂ ଧଳା ବା ଶ୍ୱେତ ଓ କୃଷ୍ଣ ଅରଖ । ଶ୍ୱେତ ଅରଖର ଧଳା ଫୁଲ ଏବଂ କୃଷ୍ଣ ଅରଖରେ ବାଇଗଣୀ ରଙ୍ଗର ଫୁଲ ଫୁଟିଥାଏ । ଯାହାର ଫୁଲ, ପତ୍ର ଏବଂ ଚେର ବିଭିନ୍ନ ରୋଗକୁ ଭଲ କରିବା ପାଇଁ ବ୍ୟବହାର କରାଯାଏ । ଏହା ମୁଣ୍ଡବିନ୍ଧା ଏବଂ କାନ ଯନ୍ତ୍ରଣାକୁ ଶୀଘ୍ର ଉପଶମ କରିବାରେ ସହାୟକ ହୋଇଥାଏ ।ଏହି ଗଛ ପେଟ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଭଲ କରିବାରେ ସାହାଯ୍ୟ କରିଥାଏ । ତେବେ ବ୍ୟବହାର ସମୟରେ ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶକୁ ସତର୍କତାର ସହ ଅବଲମ୍ବନ କରିବାକୁ ହେବ । ଯାହା ଫଳରେ ଆଗକୁ କୌଣସି ସମସ୍ୟା ହେବ ନାହିଁ ।

ଅରଖ ଗଛ ଔଷଧୀୟ ଗୁଣରେ ଭରପୂର :
ଆୟୁର୍ବେଦିକ ଡାକ୍ତରଙ୍କ ପରାମର୍ଶ ଅନୁସାରେ, ଅରଖ ଗଛର ପତ୍ର, ଫୁଲ ଏବଂ ଚେର ଅତ୍ୟନ୍ତ ପ୍ରଭାବଶାଳୀ । ଏଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆଣ୍ଟିସେପ୍ଟିକ୍, ଆଣ୍ଟି-ଫଙ୍ଗଲ୍, ଆଣ୍ଟି-ଡିଜେଣ୍ଟ୍ରିକ୍, ଆଣ୍ଟି-ସିଫିଲିଟିକ୍ ଏବଂ ଆଣ୍ଟି-ରିଉମାଟିକ୍ ଉପାଦାନଗୁଡ଼ିକ ମିଳିଥାଏ । ଏହାର ପତ୍ରକୁ ତେଲ ସହିତ ମିଶାଇ ବ୍ୟବହାର କରିବା ଦ୍ୱାରା ଶରୀର ଫୁଲା କମ୍ କରାଯାଇ ପାରିବ । ତେବେ ଅରଖ ଫୁଲ ମଧ୍ୟ ରୋଗ ଉପଶମ କରିବାରେ ବ୍ୟବହାର ହୋଇଥାଏ । ଏହାର ଚେର ଅର୍ଶ, କଳକଣ୍ଟକ ଭଳି ଗୁରୁତର ରୋଗକୁ ଭଲ କରିବାରେ ସାହାଯ୍ୟ କରେ ।

୧-ଯଦି ଆପଣଙ୍କର କୁଣ୍ଡିଆ ହେବା ଭଳି ସମସ୍ୟା ଅଛି, ତେବେ ଅରଖ ଗଛର ଚେରକୁ ପୋଡି ତା’ର ପାଉଁଶରେ ସୋରିଷ ତେଲ ମିଶାଇ ଶରୀରରେ ମାଲିସ କରନ୍ତୁ ।

୨-ଯଦି ଶରୀରର କୌଣସି ଅଙ୍ଗରେ କାଚ କିମ୍ବା କଣ୍ଟା ପଶିଯାଏ, ତେବେ ଏହି ଗଛର କ୍ଷୀରକୁ କ୍ଷତ ସ୍ଥାନରେ ପକାନ୍ତୁ । ଏହା ଆପେ ଆପେ ବାହାରିଯିବ ।

୩-ଏହା ବ୍ୟତୀତ ଯଦି ଆପଣଙ୍କ କାଶ ଭଲ ହେଉନାହିଁ, ତେବେ ଏହାର ଚେରକୁ ଗୁଣ୍ଡ କରି ସେଥିରେ କିଛି ଗୋଲମରିଚ ଗୁଣ୍ଡ ମିଶାଇ ଛୋଟ ଛୋଟ ଗୋଲି କରି ସକାଳ ଏବଂ ସନ୍ଧ୍ୟାରେ ଖାଆନ୍ତୁ । କାଶ କଷ୍ଟରୁ ତୁରନ୍ତ ମୁକ୍ତି ମିଳିବ ।

୪- ଯଦି ଆପଣଙ୍କର ନଖ ଇନ୍ଫେକ୍ସନ୍ ଭଳି କୌଣସି ସମସ୍ୟା ଅଛି, ତେବେ ଅରଖପତ୍ର ଚେରକୁ ଘୋରି ନଖରେ ଲଗାନ୍ତୁ, ସମସ୍ୟାରୁ ଶୀଘ୍ର ଆରାମ ମିଳିବ ।

୫- ମାଇଗ୍ରେନ ବା ମୁଣ୍ଡବିନ୍ଧା ଏବଂ କାନ ଯନ୍ତ୍ରଣାରୁ ଉପଶମ ଦେଇଥାଏ ଅରଖ ଫୁଲ । ଏହାର କ୍ଷୀରକୁ ମୁଣ୍ଡରେ ଲଗାଇବା ଦ୍ୱାରା ମାଇଗ୍ରେନ ସମସ୍ୟାରୁ ମୁକ୍ତି ମିଳିଥାଏ ।

୬-ସେହିପରି ଅରଖ ପତ୍ରର ରସ କାନରେ ପକାଇବା ଦ୍ୱାରା କାନ ସମ୍ବନ୍ଧିତ ସମସ୍ତ ରୋଗ ଦୂର ହୋଇଥାଏ ।

୭-ଅରଖ କ୍ଷୀରରେ ତୁଳା ବୁଡ଼ାଇ ଏହାକୁ ଘିଅରେ ଭଲ ଭାବରେ ମିଶ୍ରଣ କରି ନିଅନ୍ତୁ । ଏବେ ଏହାକୁ ମାଢ଼ି ଉପରେ ଲଗାନ୍ତୁ । ଏହାଦ୍ୱାରା ଦାନ୍ତ ଏବଂ ମାଢ଼ି ଯନ୍ତ୍ରଣା ସଙ୍ଗେ ସଙ୍ଗେ ଦୂର ହେବ ।

୮-ଏହା ବ୍ୟତୀତ ଅରଖ କ୍ଷୀରରେ ଲୁଣ ମିଶାଇ ଦାନ୍ତରେ ଲଗାଇବା ଦ୍ୱାରା ଦାନ୍ତ ଯନ୍ତ୍ରଣା ମଧ୍ୟ ଦୂର ହୋଇ ପାରିବ । ହଲୁଥିବା ଦାନ୍ତକୁ ଅରଖ କ୍ଷୀର ଲଗାଇ ସହଜରେ ବାହାର କରାଯାଇ ପାରିବ । ଏଥିରେ ଯନ୍ତ୍ରଣା ମଧ୍ୟ ହେବ ନାହିଁ ।

୯-ଆହୁରି ମଧ୍ୟ ଯଦି ଆପଣଙ୍କ ପାଦ ଓ ଆଣ୍ଠୁରେ ଯନ୍ତ୍ରଣା ହେଉଥାଏ କିମ୍ବା ବଥା ରହିଥାଏ ତେବେ ଅରଖ ପତ୍ରରେ ଗୁଆଘିଅ ମାରି ତାକୁ ସାମାନ୍ୟ ଗରମ କରି ପାଦ କିମ୍ବା ଆଣ୍ଠୁରେ ବାନ୍ଧି ଦିଅନ୍ତୁ । ଦେଖଇବେ ଦୁଇଦିନ ମଧ୍ୟରେ ଉପଶମ ମିଳିବ । ଏହା ବହୁ ପରୀକ୍ଷିତ ।

ତେବେ ଅରଖର ପ୍ରତ୍ୟେକ ଅଂଶକୁ ବ୍ୟବହାର କରିବା ପୂର୍ବରୁ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

Get real time updates directly on you device, subscribe now.