fbpx

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ ଉତ୍ପୀଡନ ଘଟଣାରେ ଆସିଷ୍ଟାଣ୍ଟ ପ୍ରଫେସର ସସ୍ପେଣ୍ଡ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରୀ ଯୌନ ଉତ୍ପୀଡନ ଘଟଣାରେ ଶେଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ । ଘଟଣାରେ ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଲମ୍ବନ କରାଯାଇଛି । ଆଇସିସି ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନା ମୁତାବକ, ଅଗଷ୍ଟ ୧୬ ତାରିଖରେ ଅର୍ଥନୀତି ବିଭାଗର ଜଣେ ଛାତ୍ରୀଙ୍କୁ ବହି ଦେବାକୁ ସମ୍ପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସର ନିକ କୋଠରୀକୁ ଡାକିଥିଲେ । ଛାତ୍ରୀ କୋଠରୀକୁ ଯିବା ପରେ ପ୍ରଫେସର ଛାତ୍ରୀଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଥିଲେ ଛାତ୍ରୀ । ଏନେଇ ସେ ବିଶ୍ୱବିଦ୍ୟାଳୟରେ ଥିବା ସେକ୍ସୁଆଲ ହାରାସମେଣ୍ଟ ସେଲ ନିକଟରେ ଅଭିଯୋଗ କରିଥିଲେ ।

କିନ୍ତୁ କର୍ତ୍ତୃପକ୍ଷ ଏହି ଘଟଣାରେ କୌଣସି ତଦନ୍ତ ନ କରି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରିଥିଲେ । ହେଲେ ଘଟଣାରେ ଜାତୀୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ କର୍ତ୍ତୃପକ୍ଷ ଘଟଣାର ଏକ ମାସ ପରେ ସେହି ପ୍ରଫେସରଙ୍କୁ ନିଲମ୍ବିତ କରିଛନ୍ତି । ଏଥିସହ ତଦନ୍ତରେ ସହଯୋଗ କରିବା ସହ ହେଡକ୍ୱାଟର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏଠାରେ କହି ରଖୁଛୁ କି, କର୍ତ୍ତୃପକ୍ଷ ଘଟଣାକୁ ଚାପିଦେବାକୁ ଚେଷ୍ଟା କରିବା ସମୟରେ ଜନୈକ ଆରଟିଆଇ କର୍ମୀ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଘଟଣା ପ୍ରତି । ଏହା ପରେ ଦୁଇ ଦିନ ତଳ କମିଶନ ଘଟଣାରେ ହସ୍ତକ୍ଷେପ କରିଥିଲେ । ଏହା ପରେ ଆକ୍ସନ ମୋଡକୁ ଆସିଥିଲା ବିଶ୍ୱବିଦ୍ୟାଳୟ ।

ତେବେ ବାଣିବିହାର ପରି ରାଜ୍ୟର ମର୍ଯ୍ୟାଦା ସମ୍ପନ୍ନ ଏକ ଶିକ୍ଷା ଅନୁଷ୍ଠାନରେ ଏମିତି ଲଜ୍ଜାଜନକ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।

Get real time updates directly on you device, subscribe now.