fbpx

BIG BREAKING: ପାହାଡ଼ର ଛାତି ଚିରି ବାହାରକୁ ଆସିଲେ ୪୧ ଜଣ ଶ୍ରମିକ: ସମସ୍ତେ ସୁରକ୍ଷିତ

ଉତ୍ତରକାଶୀ: ଦୀର୍ଘ ୧୭ ଦିନ ପରେ ପାହାଡ଼ର ଛାତି ଚିରି ବାହାରକୁ ଆସିଲେ ୪୧ ଜଣ ଶ୍ରମିକ। ଉତ୍ତରାଖଣ୍ଡର ଉତ୍ତରକାଶୀର ସିଲକ୍ୟାରା ସୁଡ଼ରେ ଫଶିରହିଥିବା ସମସ୍ତ ୪୧ ଜଣ ଶ୍ରମିକମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ନେଇ ସୂଚନା। ତେବେ ବିଭିନ୍ନ ସମସ୍ୟାକୁ ଅତିକ୍ରମ କରିବା ପରେ ରେସ୍କ୍ୟୁ ଟିମ ଶେଷରେ ନିଜର ମିଶନ ୪୧ରେ ସଫଳତା ହାସଲ କରିଛି। ଯେଉଁ ମିଶନ ଉପରେ କେବଳ ଦେଶ ନୁହେଁ ବରଂ ସାରା ବିଶ୍ୱର ନଜର ରହିଥିଲା।

ସୂଚନା ଅନୁଯାୟୀ, ପାଇପ ଯୋଗେ ସମସ୍ତଙ୍କୁ ଟନେଲରୁ ବାହାର କରାଯାଇଛି। ଏହାପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି। ତେବେ ପର୍ଯ୍ୟାୟକ୍ରମେ ଶ୍ରମିକମାନଙ୍କୁ ବାହାରକୁ ଅଣାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୫ ଜଣ, ପରେ ୪, ତା’ପରେ ୬ ଓ ଶେଷରେ ସମସ୍ତ ୪୧ ଜଣଙ୍କୁ ବାହରକୁ ଅଣାଯାଇଛି। ଘଟଣାସ୍ଥଳରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହଙ୍କ ସମେତ ଉଦ୍ଧାରକାରୀ ଟିମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ସୂଚନା ଥାଉକି, ନଭେମ୍ବର ୧୨ରେ ସମଗ୍ର ଦେଶ ଦୀପାବଳି ମନାଉଥିବା ବେଳେ ଉତ୍ତରକାଶୀର ଏହି ନିର୍ମାଣାଧୀନ ଟନେଲ ଭୁଶୁଡି ପଡିଥିଲା, ଯେଉଁଥିରେ ୪୧ ଜଣ ଶ୍ରମିକ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର ପାଇଁ ସମସ୍ତ ପ୍ରଚେଷ୍ଟା କରାଯାଇଥିବା ବେଳେ ତାହା ସମ୍ଭବପର ହୋଇ ପାରିନଥିଲା। ଫଳରେ ଅଗର ମେସିନଠୁ ବହୁ ଡ୍ରିଲିଂ ମେସିନ୍ ଏବଂ ରୋବଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କିନ୍ତୁ ସୁଡ଼ଙ୍ଗ ରାସ୍ତା ଅବରୋଧ କାରଣରୁ ତାହା ସହଜ ହୋଇପାରି ନଥିଲା। ଶେଷରେ ବାକି ରହିଥିବା ଖନନ କାର୍ଯ୍ୟ ପାରମ୍ପରିକ ପଦ୍ଧତି ଅର୍ଥାତ ଶ୍ରମିକଙ୍କ ଦ୍ୱାରା ଖନନ କରାଯାଇଥିଲା। ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଟ ମାଇନିଂ ଜରିଆରେ ଶ୍ରମିକମାନେ ୧୦ ମିଟର ଗାତ ଖୋଳିଥିଲେ। ବାକି ୨ ମିଟର ଖୋଳା ଯିବା ପରେ ଶ୍ରମିକମାନଙ୍କ ପାଖରେ ପାଇପ ପହଞ୍ଚିଥିଲା। ଏହି ପାଇପ ଯୋଗେ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Get real time updates directly on you device, subscribe now.