ମୋଦୀଙ୍କ ଜନ୍ମଦିନରେ ରେକର୍ଡ କଲା ଟିକାକରଣ: ସନ୍ଧ୍ୟା ୪ଟା ସୁଦ୍ଧା ଟିକା ନେଲେ ୧.୮ କୋଟି ନାଗରିକ

ନୂଆଦିଲ୍ଲୀ: ଭାରତରେ ଟିକାକରଣ ଅଭିଯାନ ଜୋରଦାର ଜାରି ରହିଛି । ଟିକାକରଣରେ ଅନ୍ୟ ଦେଶକୁ ମାତ୍ ଦେଇଛି ଭାରତ । ଏଠାରେ ବିଳମ୍ବରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାପରେ ସୁଦ୍ଧା ରେକର୍ଡ ସଂଖ୍ୟକ ଲୋକଙ୍କୁ ଟିକା ଦିଆଯାଇଛି । ତେବେ ଆଜି ସନ୍ଧ୍ୟା ୪ ଟା ସୁଦ୍ଧା ଟିକାକରଣ ଅଭିଯାନରେ ଆଉ ଏକ ରେକର୍ଡ ସୃଷ୍ଟି ହୋଇଛି । ସନ୍ଧ୍ୟା ୪ଟା ସୁଦ୍ଧା ଦେଶରେ ୧.୮ କୋଟି ନାଗରିକ ଟିକା ନେଇଛନ୍ତି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ହୋଇଥିବା ବେଳେ ଦେଶ ଆଉ ଗୋଟିଏ ରେକର୍ଡ କରିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଏକ ଲକ୍ଷରୁ ଅଧିକ ସ୍ଥାନରେ ଟିକାକରଣ ଚାଲିଛି ।

ଦେଶରେ କରୋନା ବିରୋଧୀ ଲଢ଼େଇ ଜାରି ରହିଥିବା ବେଳେ ଏହାକୁ ଦେଖି ଆଶା କରାଯାଉଛି ଯେ, ଖୁବ୍ ଶୀଘ୍ର ଟିକାକରଣର ଆକଳନ ୧୦୦ କୋଟି ପାର୍ କରିବ । ସୁତ୍ର ଅନୁସାରେ, ଅକ୍ଟୋବର ଶେଷ ସୁଦ୍ଧା ଦେଶରେ ଟିକା ଡୋଜ୍ ୧୦୦ କୋଟି ପାର୍ କରିବ । ଅନ୍ୟପଟେ ମୋଦୀଙ୍କ ଜନ୍ମଦିନକୁ ସେବା ଦିବସ ରୂପରେ ପାଳନ କରାଯାଉଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟୁଇଟ୍ କରି କହିଛନ୍ତି ଯେ, ମୋର ବିଶ୍ୱାସ ଅଛି ଯେ, ଆମେ ସମସ୍ତେ ଟିକାକରଣର ନୂଆ କୀର୍ତ୍ତିମାନ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କୁ ଉପହାରସ୍ୱରୂପ ଦେବୁ ।