fbpx

ଲଘୁଚାପ ଆଣୁଛି ବଡ଼ ବର୍ଷା , ରାଜ୍ୟର ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ଓଡ଼ିଶାମୁହାଁ । ଆସନ୍ତା ୪ ଦିନ ପ୍ରବଳ ବର୍ଷିବ । ଶୁକ୍ରବାର ଦକ୍ଷିଣ ଓଡ଼ିଶାରେ ହେବ ପ୍ରବଳରୁ ଅତି ପ୍ରବଳ ବର୍ଷା । ଏମିତି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଥିବା ଲଘୁଚାପ ଦକ୍ଷିଣ-ପଶ୍ଚିମକୁ ଢଳି କରି ଅଛି । ଏହା ଆହୁରି ଘନୀଭୂତ ହେବା ସହ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଆଡ଼କୁ ମୁହାଁଇବ ।

ଓଡ଼ିଶା ଭିତରକୁ ପ୍ରବେଶ କରିପାରେ ଏହି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ । ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ଓ କେତେକ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ୭୦ ମିଲିମିଟରରୁ ୨୦୦ ମିମି ବର୍ଷା ହେବା ସହ ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ହେବାର ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, ବୌଦ୍ଧରେ ପ୍ରବଳରୁ ଅତି ପ୍ରବଳ(୭୦ ମିମିରୁ ୨୦୦ ମିମି ପର୍ଯ୍ୟନ୍ତ) ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗିର, ଜଗତସିଂହପୁର, ସୋନପୁର, ନୟାଗଡ଼, ଖୋର୍ଦ୍ଧା, ଭଦ୍ରକ, କେନ୍ଦ୍ରାପଡ଼ା, କଟକରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୦ ତାରିଖରେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବୌଦ୍ଧ, ସୋନପୁର, ନୟାଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ନୂଆପଡ଼ା, ଦେବଗଡ଼, ବରଗଡ଼, ଯାଜପୁରରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି ।

୨୧ ତାରିଖରେ ଉତ୍ତର ଓଡ଼ିଶାର ଅଧିକାଂଶ ଜାଗାରେ ଓ ଦକ୍ଷିଣର ଅନେକ ଅଞ୍ଚଳରେ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୨ ତାରିଖରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ କିଛି ଜାଗାରେ ପ୍ରବଳ ବର୍ଷା ହୋବାର ସମ୍ଭାବନା ରହିଛି । ୨୩ ଓ ୨୪ରେ ପ୍ରବଳ ବର୍ଷା ନଥିବା ବେଳେ ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠୁ ଓଡ଼ିଶା ଉପକୂଳ ଓ ସଲଗ୍ନ ଉତ୍ତର ବଙ୍ଗୋପସାଗରରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ବର୍ଷାରେ କିଛି ସ୍ଥାନରେ କଚ୍ଚା ଘର ଭାଙ୍ଗିପାରେ। ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ। ସମ୍ଭାବ୍ୟ ସ୍ଥିତିକୁ ଦେଖି ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର।

Get real time updates directly on you device, subscribe now.