ପ୍ରଥମ ଇନିଂସରେ ଆଗୁଆ ରହି ରଣଜୀ ଟ୍ରଫି ଟାଇଟଲ ଜିତିଲା ବିଦର୍ଭ

ନାଗପୁର: ତୃତୀୟ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିଛି ବିଦର୍ଭ। କେରଳ ବିପକ୍ଷ ଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ପରେ ରବିବାର ପଞ୍ଚମ ତଥା ଶେଷ ଦିନରେ ମୁକାବିଲା ଡ୍ରରେ ଶେଷ ହୋଇଥିଲା। ଫଳରେ ବିଦର୍ଭକୁ ବିଜେତା ଘୋଷଣା କରାଯାଇଛି।

ବିଦର୍ଭ ତା’ର ଦ୍ୱିତୀୟ ଇନିଂସରେ ୯ ୱିକେଟ୍ ହରାଇ ୩୭୫ ରନ କରିବା ପରେ ମ୍ୟାଚ୍ ଡ୍ରରେ ଶେଷ ହୋଇଥିଲା। ବିଦର୍ଭ ପ୍ରଥମ ଇନିଂସରେ ୩୭୯ ରନ କରିଥିଲା ​​ଏବଂ କେରଳକୁ ୩୪୨ ରନରେ ଅଲଆଉଟ୍ କରି ଏକ ଗୁରୁତ୍ୱପୂର୍ଣ୍ଣ ୩୭ ରନ ଅଗ୍ରଣୀ ହାସଲ କରିଥିଲା। ବିଦର୍ଭ ପୂର୍ବରୁ ୨୦୧୭-୧୮ ଏବଂ ୨୦୧୮-୧୯ରେ ଟୁର୍ଣ୍ଣାମେଣ୍ଟ ଚାମ୍ପିୟନ ହୋଇଥିଲା।

ଚତୁର୍ଥ ଦିନର ଖେଳ ଶେଷ ବେଳକୁ ବିଦର୍ଭ ଦ୍ଵିତୀୟ ଇନିଂସରେ ୪ ୱିକେଟ୍ ହରାଇ ୨୪୯ ରନ ସଂଗ୍ରହ କରିଛି ଓ ମୋଟ୍ ୨୮୬ ରନ୍‌ରେ ଆଗୁଆ ରହିଥିଲା। ପ୍ରଥମ ଇନିଂସରେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବା କରୁଣ ନାୟର ଦ୍ୱିତୀୟ ଇନିଂସରେ ଶତକ ଅର୍ଜନ କରିଥିଲେ। ଚଳିତ ଘରୋଇ ସିଜନରେ କରୁଣ ନୟର ମୋଟ ୯ଟି ଶତକୀୟ ପାଳି ଖେଳି ଭିଭିଏସ ଲକ୍ଷ୍ମଣଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ତେବେ ଶେଷ ଦିନରେ ଦଳ ଆଉ ୫ ୱିକେଟ୍ ହରାଇ ୧୭୬ ରନ୍ ଯୋଡି ପାରିଥିଲା। ତେବେ ବିପକ୍ଷ ଦଳ କେରଳ ଆଉ ବ୍ୟାଟିଂ କରିବାକୁ ଚାହିଁ ନଥିଲା। ଫଳରେ ବିଦର୍ଭ ବିଜୟୀ ହୋଇଛି।