fbpx

(Video) କାଲି ବ୍ରାହ୍ମଣୀ ନଦୀରେ କୁମ୍ଭୀର ଟାଣିନେଇଥିଲା, ଦୀର୍ଘ ୨୪ ଘଣ୍ଟା ପରେ ମିଳିଲା ଭାସ୍କରଙ୍କ ମୃତଦେହ

ଓଡିଶା ଭାସ୍କର; ବ୍ରାହ୍ମଣୀ ନଦୀରେ ଗତକାଲି ମଇଁଷି ଚରାଳି ଅଭୟ ରାଉତ ଓରଫ ଭାସ୍କରଙ୍କୁ କୁମ୍ଭୀର ଟାଣିନେବାର ୨୪ ଘଣ୍ଟା ପରେ ଆଜି ମିଳିଛି ତାଙ୍କ ମୃତଦେହ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ରାଜପୁର ଗାଁର ଭାସ୍କରଙ୍କୁ ଗତକାଲି ପାଣି ଭିତରକୁ ଟାଣିନେଇଥିଲା କୁମ୍ଭୀର । ଆଉ ଗାଁ ଲୋକଙ୍କ ସମେତ ବନବିଭାଗ କାଲିଠାରୁ ଖୋଜାଖୋଜି ଜାରି ରଖିଥିଲେ । ତେବେ ଆଜି ବ୍ରାହ୍ମଣୀ ନଦୀର ଏକମାଣିଆ ଗାଁ ନିକଟରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଗ୍ରାମବାସୀ ଓ ବନବିଭାଗର ମିଳିତ ଉଦ୍ୟମରେ ଭାସ୍କରଙ୍କ ମୃତଦେହକୁ ଠାବ କରାଯାଇଥିଲା ।

ସୂଚନା ଥାଉକି, ଗତକାଲି ଭାସ୍କର ମଇଁଷି ଚରାଇ ସାରିବା ପରେ ପୁଅ ସହ ମିଶି ଖାଦ୍ୟ ଖାଇଥିଲେ । ଆଉ ଖାଇ ସାରିବା ପରେ ଡଙ୍ଗାରୁ ଓହ୍ଲାଇ ନଦୀରେ ହାତ ଧୋଇବା ସମୟରେ ତାଙ୍କୁ ଏକ ବିଶାଳ କୁମ୍ଭୀର ଟାଣିନେଇଥିଲା । ଭାସ୍କରଙ୍କ ପୁଅ ଏବଂ ପାଖରେ ଥିବା ଅନ୍ୟ ଜଣେ ଯୁବକ ଦଉଡି ଯାଇ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଫଳରେ କୁମ୍ଭୀର ମୁହଁରୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । କୁମ୍ଭୀର ଭାସ୍କରଙ୍କ ଗୋଡକୁ କାମୁଡି ଧରି ତାଙ୍କୁ ପାଣି ଭିତରକୁ ଭିଡି ନେଇଥିଲା । ଆଉ ଚାହୁଁ ଚାହୁଁ ତାଙ୍କୁ ନଈ ମଝିକୁ ଟାଣିନେଇ ବୁଡି ଯାଇଥିଲା ମଣିଷଖିଆ କୁମ୍ଭୀର । ପରେ ଏହାର ଖବର ପାଇ ଗାଁ ଲୋକେ ନଈ କୂଳରେ ଆଜି ଜମା ହୋଇଯାଇଥିଲେ । ଡଙ୍ଗା ନେଇ କିଛି ଲୋକ ନଈ ଭିତରେ ଖୋଜାଖୋଜି କରିଥିଲେ ମଧ୍ୟ କୁମ୍ଭୀର କିମ୍ବା ଭାସ୍କରଙ୍କର କୌଣସି ପତ୍ତା ମିଳିନଥିଲା । ତୁରନ୍ତ ଅଗ୍ନିଶମ ଏବଂ ବନବିଭାଗକୁ ଖବର ଦିଆଯାଇଥିଲା । ଆଉ ଅଗ୍ନିଶମ ବାହିନୀ ସହ ବନ କର୍ମଚାରୀମାନେ ଆସି ନଈ ଭିତରେ ଖୋଜାଖୋଜି ଜାରି ରଖିଥିବା ବେଳେ ଦୀର୍ଘ ସମୟ ପର୍ୟ୍ୟନ୍ତ ତାଙ୍କ ପତ୍ତା ମିଳିପାରିନଥିଲା ।

ଏହି ଘଟଣା ପରେ ସ୍ଥାନୀୟ ନଈକୂଳିଆ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଅନ୍ୟପଟେ ଭାସ୍କରଙ୍କ ପରିବାର ଲୋକେ ଗତକାଲି ଠାରୁ ଭାଙ୍ଗି ପଡିଥିବା ବେଳେ ଆଜି ତାଙ୍କ ମୃତଦେହ ମିଳିଛି । ଭାସ୍କରଙ୍କ ମୃତଦେହର କିଛି କିଛି ସ୍ଥାନରେ ମାଂସ ନଥିବା ଦେଖିବାକୁ ମିଳିଛି । ଯେଉଁଥିରୁ ଅନୁମାନ କରାଯାଉଛି ଯେ କୁମ୍ଭୀର ତାଙ୍କୁ ଟାଣିନେବା ପରେ ସେହି ସ୍ଥାନରୁ ବହୁ ଦୂରକୁ ନେଇଯାଇଥିଲା । ହେଲେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଖାଇ ପାରିନଥିଲା । ତେବେ ଆଜି ଭାସ୍କରଙ୍କ ମୃତଦେହ ଉଦ୍ଧାର ହେବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗତ ୨ ମାସ ମଧ୍ୟରେ ୪ ଜଣଙ୍କୁ ଟାଣିନେଇ ଖାଇ ସାରିଲାଣି ମଣିଷଖିଆ କୁମ୍ଭୀର । ବାରମ୍ବାର କୁମ୍ଭୀର ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବା ବେଳେ ତୁରନ୍ତ ଏ ନେଇ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Get real time updates directly on you device, subscribe now.