କନୌଜ- ଉତ୍ତରପ୍ରଦେଶର ଲକ୍ଷ୍ନୌ- ଆଗରା ଏକ୍ସପ୍ରେୱେରେ ଶୁକ୍ରବାର ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଆଗ୍ରା ଯାଉଥିବା ଏକ ଡବଲ ଡେକର ବସ ଡିଭାଇଡରରେ ଧକ୍କା ଖାଇ ଓଲଟିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ହିଁ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଅନେକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ସମ୍ଭାବନା ରହିଛି ।
ଡବଲ ଡେକର ବସ ଲକ୍ଷ୍ନୌରୁ ଆଗ୍ରା ଯାଉଥିବା ବେଳେ ଯାତ୍ରୀରେ ଭରାଥିଲା । ଔରେୟା ବର୍ଡରରେ ପହଞ୍ଚିବା କ୍ଷଣି ବସଟି ଡିଭାଇଡରରେ ପିଟି ହୋଇଥିଲା ଓ ରାସ୍ତା କଡକୁ ଓଲଟି ଯାଇଥିଲା । ଏହି ଦୁର୍ଘଟଣା ମଧ୍ୟାହ୍ନ ପ୍ରାୟ ୨ଟାରେ ଘଟିଛି । ଦୁର୍ଘଟଣା ସମୟରେ ସେହି ରାସ୍ତା ଦେଇ ଜଳଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ଯାଉଥିଲେ । ବସ ଓଲଟିବା ଦେଖି ସେ ସେଠାରେ ଲୋକଙ୍କ ଉଦ୍ଧାର କାମ ପାଇଁ ପହଞ୍ଚି ଯାଇଥିଲେ । ମନ୍ତ୍ରୀ ନିଜେ କିଛି ଆହତଙ୍କୁ ଉଦ୍ଧାର କରିଛନ୍ତି ।
ତୁରନ୍ତ ହିଁ ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଲୋକଙ୍କୁ ବସରୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଯାତ୍ରୀଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡିଛି । ତେଣୁ ଏହି ମୃତ୍ୟୁ ସଂଖ୍ୟା ଆଗକୁ ବଢିବା ସମ୍ଭାବନା ରହିଛି । ଏହି ଦୁର୍ଘଟଣା ନେଇ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ ।