CHARIDHAM

Video: ବାରବାଟୀରେ ୮ ଘଣ୍ଟା ବିତାଇଲେ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ରୋହିତ ଶର୍ମାଙ୍କ ସହିତ ବିଶେଷ ମୁହୂର୍ତ୍ତ

କଟକ: ‘ସମସ୍ତଙ୍କ ସହଯୋଗରେ ଏକ ଭଲ କ୍ରିକେଟ୍ ମ୍ୟାଚ୍ ଆୟୋଜନ ହେଲା। ରୋମାଞ୍ଚକର ଖେଳ ବି ହେଲା । ସମସ୍ତେ ଏହାର ଭରପୁର ମଜା ନେଲେ। ଏଥିପାଇଁ ମୁଁ ଓସିଏ ସଂପାଦକ ସଞ୍ଜୟ ବେହେରା, କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ତାଙ୍କ ଟିମ୍‌କୁ ଧନ୍ୟବାଦ ଦେଉଛି। ଖାସ୍ କରି କଟକବାସୀଙ୍କ ସହଯୋଗକୁ ଧନ୍ୟବାଦ ଜଣାଉଛି। ତେବେ ମୁଁ ବି ଜଣେ କ୍ରିକେଟ୍ ଖେଳାଳି। କ୍ରିକେଟ୍ ଖେଳ ଏମିତି ଏକ ମାଧ୍ଯମ ଯାହା ସମସ୍ତଙ୍କୁ ଯୋଡ଼ି ରଖିପାରେ।

ଅଧିନାୟକ ରୋହିତ ମଧ୍ୟ ଆଜିର ମ୍ୟାଚ୍ ନେଇ ଖୁସି। ସେ ଓଡ଼ିଶାକୁ ଭଲ ପାଆନ୍ତି ବୋଲି କହିଛନ୍ତି । ଆଜିର ଏହି ମ୍ୟାଚ୍‌ର ସଫଳ ଆୟୋଜନ ଆଗକୁ ବାରବାଟୀକୁ ଅଧିକ ଖେଳ ଆଣିବ ବୋଲି ମୁଁ ଆଶା କରୁଛି। ବାରବାଟୀରେ ମ୍ୟାଚ୍ ସରିବା ପରେ ଆଜି ଏଭଳି ପ୍ରତିକ୍ରିୟା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହ‌ନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ଅଧିନାୟକ ରୋହିତ୍‌ଙ୍କ ସହିତ କିଛି ସମୟ ବିତାଇଥିଲେ। ଖେଳ ବିଷୟରେ କଥା ହୋଇ ମ୍ୟାଚ୍ ବିଜୟର ଖୁସିକୁ ବାଣ୍ଟିଥିଲେ। ଏପରିକି ଉଭୟ ଏକାଧିକ ଫଟୋ ମଧ୍ୟ ଉଠାଇଥିଲେ।

ମୁଖ୍ୟମନ୍ତ୍ରୀ ମାଝୀ ଆଜି ବାରବାଟୀରେ ଦିନିକିଆ ମ୍ୟାଚ୍ ଦେଖିବା ପାଇଁ ଆସି ଷ୍ଟାଡିୟମ୍‌ରେ ଦୀର୍ଘ ୮ ଘଣ୍ଟା ରହି କ୍ରିକେଟ୍‌ର ଭରପୁର ଆନନ୍ଦ ନେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଓସିଏ ପକ୍ଷରୁ ସମ୍ବନ୍ଧିତ କରାଯାଇଥିଲା। ଅପରାହ୍ଣ ପ୍ରାୟ ୨ଟା ବେଳେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ତଳ ବାଲିଯାତ୍ରା ପଡ଼ିଆରେ ହୋଇଥିବା ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରୁ କାର୍ ଯୋଗେ ଷ୍ଟାଡିୟମ୍ ଆସିଥିଲେ।

ଷ୍ଟାଡିୟମ୍‌ରେ ଓସିଏ ସଂପାଦକ ସଂଜୟ ବେହେରା ଚତୁର୍ଦ୍ଧା ମୂର୍ତ୍ତିଙ୍କର ଏକ ‘ମେମେଣ୍ଟୋ’ ତାଙ୍କୁ ପ୍ରଦାନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ‘ଗେଷ୍ଟ୍ ଲାଉଞ୍ଜ୍’ରେ ନିଜ ପରିବାର, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ଏବଂ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ବସି ଶେଷ ପର୍ଯ୍ୟନ୍ତ ମ୍ୟାଚ୍ ଦେଖିଥିଲେ। ଖେଳ ସରିବା ପରେ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇ ଜାତୀୟ ରାଜପଥରେ କାର୍ ଯୋଗେ ଭୁବନେଶ୍ଵର ଫେରିଥିଲେ।