fbpx

Video: ସରକାର, ପ୍ରଶାସନ ଫେଲ୍, ଦିଶା ଦେଖାଇଲେ ଦିବ୍ୟାଙ୍ଗ

ଧର୍ମଗଡ, (ଭାସ୍କର ନ୍ୟୁଜ): ଯୋଉଠି ସରକାର, ପ୍ରଶାସନ ଫେଲ ମାରିଛି – ସେହିଠି ଜଣେ ଦିବ୍ୟାଙ୍ଗ ଦିଶା ଦେଖାଇଛି । ଇଛା ଶକ୍ତି ପାଖରେ ହାରମାନି ଅକ୍ଷମ । ଯାହା ପ୍ରମାଣ କରି ଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ । ଗୋଡ଼ ଦୁଇଟି ଅଚଳ ହୋଇଛି ସତ ହେଲେ ସ୍ୱାଭିମାନ ଓ ଇଛାଶକ୍ତିର ଦୃଢତା ଅଟକାଇ ପାରିନି । ଗୁରୁଣ୍ଡି ଗୁରୁଣ୍ଡି ହାତରେ କୋଦାଳ ଧରି କାମରେ ଲାଗି ପଡିଛନ୍ତି । ଶେଷରେ ସଫଳ ବି ହେଲେ । ଏଭଳି ଦୃଶ୍ୟ ଧର୍ମଗଡ ବ୍ଲକ ଡୁମେରଗୁଡ଼ା ପଞ୍ଚାୟତର କେରମୁଣ୍ଡା ଗ୍ରାମର ଦେଖିବାକୁ ମିଳିଛି । ଦିବ୍ୟାଙ୍ଗ ଗଣେଶ ନାଏକ ଏଭଳି କାମ କରି ଚର୍ଚ୍ଚା ପାଲଟିଛନ୍ତି । ଗାଁ ପାଖରେ ଥିବା ଏକ ରାସ୍ତାକୁ ମରାମତି କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଅନ୍ୟପଟେ ତାଙ୍କର ଏହି ଉଦ୍ୟମ ପ୍ରଶାସନ ପ୍ରତି ସକ୍ତଚାପୁଡା ବୋଲି ଅଞ୍ଚଳରେ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ଜନ୍ମରୁ ଦିବ୍ୟାଙ୍ଗ ଗଣେଶ । ବଞ୍ଚିବା ରାହା ପାଲଟିଛି କେବଳ ହୁଇଲ ସାଇକେଲ । ସେଥିରେ ପନିପରିବା ବୋଝି ଏ ଗାଁରୁ ସେ ଗାଁନେଇ ବିକ୍ରି କରିଥାନ୍ତି । ଯାହା ମିଳେ ପରିବାର କଷ୍ଟେ ମଷ୍ଟେ ଚଳି ଯାଆନ୍ତି । ତେବେ ଏହି ରାସ୍ତା ଦେଇ ରୀତିମତ ଯିବାଆସିବା ଲୋକଙ୍କ ଭିତରେ ଲାଗିରହିଥାଏ । ବିପଦପନ୍ନ ଅବସ୍ଥାରେ ଦୀର୍ଘଦିନରୁ ରାସ୍ତା ପଡିରହିଛି । ଲୋକେ ନାହିଁନଥିବା ଅସୁବିଧା ସମ୍ମୁଖୀନ ହୋଇଥିଲେ ବି କାହାରି ନିଘା ରହୁନାହିଁ । ପୂର୍ବରୁ ପ୍ରଶାସନ, ନେତା, ମନ୍ତ୍ରୀଙ୍କୁ ଏହି ରାସ୍ତା ନିର୍ମାଣ ପାଇଁ ଗାଁ ଲୋକ ଅନେକ ଗୁହାରି କରିଛନ୍ତି । ହେଲେ କେହି କର୍ଣ୍ଣପାତ କରିନାହାନ୍ତି । ଦିଦ୍ୟାଙ୍ଗ ଗଣେଶ ଶେଷରେ ଅଣ୍ଟା ଭିଡି ରାସ୍ତା ମରାମତି କାମ କଲେ ।

ଗତ ଗୁରୁବାର ଦିନ ଏକା ଏକ କୋଦାଳ ସାହାଯ୍ୟରେ ମାଟି ଖୋଲି ସମତଳ କରିଥିଲେ । ସୂଚନା ଯେ, ଏହି ରାସ୍ତାରେ ସେ ନିଜେ ଦୁଇଥର ଦୁର୍ଘଟଣାର ଶିକାର ହୋଇଛନ୍ତି । ସେହି ଦୁର୍ଘଟଣା ତାଙ୍କୁ ପାଇଁ ବ୍ୟାଘାତ ଦେଇଥିଲା । ସେ ରାସ୍ତା ମରାମତି କରିବାକୁ ମନରେ ଉତ୍ସାହ ସହ ନିଷ୍ପତ୍ତି ନେଇଥିଲେ । ଗୋଡ଼ ନାହିଁ ସତ, ହେଲେ ମନବଳ ଦୃଢତା ଯୋଗୁଁ ଆଜି କାମ କରି ସଫଳ ହୋଇଛନ୍ତି ଦୁନିଆକୁ ଦେଖାଇ ଦେଇଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଦେଖି ନିଶ୍ଚିତ ଭାବେ ଯୁବପୀଢ଼ିଙ୍କୁ ପ୍ରେରଣା ଯୋଗାଇବ ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ ପାଉଥିବା ବେଳେ ଏବେ ପ୍ରଶଂସା ସୁଅ ଲାଗିରହିଛି ।

Get real time updates directly on you device, subscribe now.