fbpx

ରେଡ୍ ମାରିବାକୁ ଯାଇ ପୋଲିସ ହଟହଟ୍ଟା: ଗ୍ରାମବାସୀ ଗାଡ଼ି ଭାଙ୍ଗିବା ସହ ପିଟିଲେ, SIଙ୍କ ସମେତ ୧୨ ଆହତ

ନୂଆଦିଲ୍ଲୀ: ଅନେକ ସମୟରେ କର୍ତ୍ତ୍ୟବରତ ପୋଲିସ ଅଧିକାରୀଙ୍କ ଉପରକୁ କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିବାକୁ ପଛାଇ ନଥାନ୍ତି । ତେବେ ଆଜି ଏଭଳି ଏକ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି । ରେଡ୍ ମାରିବାକୁ ଯାଇଥିବା ପୋଲିସ ଟିମ୍ ଉପରକୁ ଗ୍ରାମବାସୀମାନେ ଭୟଙ୍କର ଭାବେ ଆକ୍ରମଣ କରିଥିଲେ । ଏଥିସହିତ ସେମାନେ ପୋଲିସ ଗାଡ଼ିକୁ ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ଅନେକ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଛତିଗଡ଼ର କବରିଧାମ ଜିଲ୍ଲାରେ ଏହି ଘଟଣା ଘଟିଛି । ପୋଲିସ ଓ ଅବକାରୀ ଟିମ୍ ରେଡ୍ ମାରିବାକୁ ଯାଇଥିବା ସମୟରେ ହଠାତ୍ ଗ୍ରାମବାସୀ ଏକତ୍ରିତ ହୋଇ ସେମାନଙ୍କ ଉପରେ ହମଲା କରିଦେଇଥିଲେ । ଗ୍ରାମବାସୀମାନେ ପୋଲିସ ଟିମଙ୍କୁ ଦୌଡ଼ାଇ ଦୌଡ଼ାଇ ପିଟିଚାଲିଥିଲେ । ଏଥିସହିତ ଅନେକ ପୋଲିସ ଗାଡ଼ିକୁ ମଧ୍ୟ ଭାଙ୍ଗି ପକାଇଥିଲେ । ଏହି ଭୟଙ୍କର ଆକ୍ରମଣରେ ଏସଆଇଙ୍କ ସହିତ ୧୨ ଜଣ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି ।

ସିଙ୍ଘନପୁରୀ ଥାନା ଅନ୍ତର୍ଗତ ଗ୍ରାମ ନବଗାଁଓରେ ଅବୈଧ ମଦ କାରବାର ହେଉଥିବା ନେଇ ସୂଚନା ମିଳିଥିଲା । ତେଣୁ ପୋଲିସ ଓ ଅବକାରୀ ଟିମ୍ ଉକ୍ତ ଗାଁରେ ରେଡ୍ କରିବା ପାଇଁ ପହଞ୍ଚିଥିଲେ । ତେବେ ଟିମ୍ ସେଠାରେ ପହଞ୍ଚିବା ପରେ ଅଚାନକ ଗ୍ରାମବାସୀ ଏକତ୍ରିତ ହୋଇ ଟିମ୍ ଉପରକୁ ଆଟାକ୍ କରିଦେଇଥିଲେ । ଗ୍ରାମବାସୀ ଅଚାନକ କାହିଁକି ପ୍ରତିହିଂସା ପରାୟଣ ହୋଇ ଉଠିଥିଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗ୍ରାମବାସୀମାନେ ଏକ ନଦୀ କୂଳରେ ମହୁଆ ମଦ ପ୍ରସ୍ତୁତ କରୁଥିଲେ । ତେବେ ଏହି ଘଟଣାରେ ୧୫ ଜଣଙ୍କ ନାମରେ ମାମଲା ଦାୟର ହୋଇଛି ।

Get real time updates directly on you device, subscribe now.