fbpx

World Cup ଫାଇନାଲରେ ରିକି ପଣ୍ଟିଂଙ୍କୁ ପଛରେ ପକାଇଲେ ବିରାଟ: ଟାର୍ଗେଟରେ ମାଷ୍ଟର ବ୍ଲାଷ୍ଟର

Advertisement

ଅହମ୍ମଦାବାଦ: ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ । ଦମଦାର ଆରମ୍ଭ ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ବ୍ୟକ୍ତିଗତ ୪୭ ରନରେ ରୋହିତ ଆଉଟ ହେବା ପରେ ଫେଲ ମାରିଛି ଟିମ ଇଣ୍ଡିଆର ମିଡିଲ ଅର୍ଡର । ତେବେ ବିରାଟ କୋହଲି ଏହି ମ୍ୟାଚରେ ପାଦ ଥାପିବା ମାତ୍ରେ ସୃଷ୍ଟି କରିଛନ୍ତି ଏକ ବିଶାଳ ରେକର୍ଡ । ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇ ଏହି ରେକର୍ଡ ନିଜ ନାମରେ କରିଛନ୍ତି କିଙ୍ଗ କୋହଲି । ବର୍ତ୍ତମାନ ବିରାଟଙ୍କ ନଜର ସଚିନ ତେନ୍ଦୁଲକରଙ୍କ ଉପରେ ରହିଛି ।

ଶୁଭମନ ଗିଲଙ୍କ ୱିକେଟ ପରେ ମଇଦାନକୁ ଆସିଥିଲେ ବିଶ୍ୱକପ-୨୦୨୩ର ସର୍ବଶ୍ରେଷ୍ଠ ବ୍ୟାଟର ବିରାଟ କୋହଲି । ଏହି ମ୍ୟାଚରେ ସେ ୩ ରନ୍ କରି ଏକ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇ ଦେଇଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି ସର୍ବାଧିକ ରନ୍ ସଂଗ୍ରହ କରିଛନ୍ତି । ଫାଇନାଲ ପୂର୍ବରୁ କୋହଲି ୭୧୧ ରନ୍ ସଂଗ୍ରହ କରିଥିବା ବେଳେ ଏହି ୩ ରନ୍ ସହ ସେ ୭୧୪ ରନରେ ପହଞ୍ଚିଛନ୍ତି । ତେବେ ବିଶ୍ୱକପ ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବା ତାଲିକାରେ ରିକି ପଣ୍ଟିଂଙ୍କୁ ପଛରେ ପକାଇଛନ୍ତି କୋହଲି । ରିକି ପଣ୍ଟିଂ ବିଶ୍ୱକପ ଇତିହାସରେ ମୋଟ ୧୭୪୩ ରନ୍ କରିଥିବା ବେଳେ ଏହି ରନ୍ ସହିତ ବିରାଟ କୋହଲି ମୋଟ ୧୭୪୪ ରନ୍ ସଂଗ୍ରହ କରିଛନ୍ତି । ତେବେ ମୋଟ ୪ଟି ବିଶ୍ୱକପରେ ୩୬ ମ୍ୟାଚରୁ ୫ଟି ଶତକ ଏବଂ ୧୧ଟି ଅର୍ଦ୍ଧଶତକ ସହିତ ଏହି ରନ୍ କରିଛନ୍ତି କୋହଲି ।

ତେବେ ରିକି ପଣ୍ଟିଂ ୫ଟି ବିଶ୍ୱକପରେ ୪୬ଟି ମ୍ୟାଚରୁ ୧୭୪୩ ରନ୍ କରିଥିଲେ । ଏହାବ୍ୟତୀତ ବିଶ୍ୱକପ ଇତିହାସରେ ସର୍ବାଧିକ ରନ୍ କରିବାରେ ରେକର୍ଡ ନିଜ ନାମରେ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ୬ଟି ବିଶ୍ୱକପରେ ୪୫ଟି ମ୍ୟାଚରୁ ୨୨୭୮ ରନ୍ କରି ଏହି ତାଲିକାର ଶୀର୍ଷରେ ରହିଛନ୍ତି ସଚିନ୍ । ତେବେ ତାଲିକାର ଚତୁର୍ଥ ସ୍ଥାନରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ରହିଥିବା ବେଳେ ଶ୍ରୀଲଙ୍କାର ପୂର୍ବ ଅଧିନାୟକ କୁମାର ସାଙ୍ଗାକାରା ପଞ୍ଚମ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.