fbpx

ବିରାଟଙ୍କର ମୋଟ ସମ୍ପତ୍ତି ୧୦୫୦ କୋଟିରେ ପହଞ୍ଚିଲା: ପ୍ରତି Instagram ପୋଷ୍ଟ ପାଇଁ ୮ କୋଟି

ନୂଆଦିଲ୍ଲୀ: ବିରାଟ କୋହଲି ଏହି ଦୁଇଟି ଶବ୍ଦ ହିଁ ସାରା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ପାଇଁ ଯଥେଷ୍ଟ । ବର୍ତ୍ତମାନ ସମୟରେ ୩୪ ବର୍ଷୀୟ ବିରାଟ ବିଶ୍ୱର ଜଣେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ । ଦିନିକିଆ, ଟେଷ୍ଟ ଓ ଟି-୨୦ରେ ବିରାଟ ବହୁ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଆଜିର ସମୟର କ୍ରୀଡ଼ାବିତଙ୍କ ମଧ୍ୟରେ କେବଳ ବିରାଟ ହିଁ ସଚିନ ତେନ୍ଦୁଲକରଙ୍କ ୧୦୦-୧୦୦ ରେକର୍ଡ ଭାଙ୍ଗିପାରିବେ ବୋଲି କ୍ରୀଡ଼ାପ୍ରେମୀ ଆଶା କରୁଛନ୍ତି । ଅନେକ ସମୟରେ ପଡ଼ିଆରେ ଓ ପଡ଼ିଆ ବାହାରର ଲାଇଫ୍ ଷ୍ଟାଇଲକୁ ନେଇ ବିରାଟ ଚର୍ଚ୍ଚାରେ ରହିଥାନ୍ତି ।

ତେବେ ଏହା ମଧ୍ୟରେ ବିରାଟଙ୍କୁ ନେଇ ଆସିଛି ଏକ ବଡ଼ ଖବର । ବିରାଟଙ୍କର ମୋଟ ସମ୍ପତ୍ତି ୧୦୦୦ କୋଟି ଅତିକ୍ରମ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଇନଷ୍ଟାଗ୍ରାମରେ ବିରାଟଙ୍କର ୨୫୨ ମିଲିୟନ ଫଲୋଅର୍ସ ରହିବା ସହିତ ତାଙ୍କର ମୋଟ ସମ୍ପତ୍ତି ୧୦୫୦ କୋଟିରେ ପହଞ୍ଚି ଯାଇଛି । ଟିମ୍ ଇଣ୍ଡିଆର ‘ଏ’ କ୍ୟାଟେଗୋରୀ ଖେଳାଳି ହିସାବରେ ସେ ୭ କୋଟି ପାଉଛନ୍ତି । ଏଥିସହିତ ସେ ପ୍ରତି ଦିନିକିଆରୁ ୬ ଲକ୍ଷ, ଟେଷ୍ଟରୁ ୧୫ ଲକ୍ଷ ଓ ଟି-୨୦ରୁ ୨୦ ଲକ୍ଷ ଟଙ୍କା ପାଉଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରୁ ସେ ବାର୍ଷିକ ୧୫ କୋଟି ଆୟ କରୁଛନ୍ତି ।

ବିରାଟ ୧୮ଟି ବ୍ରାଣ୍ଡ ସହିତ ଚୁକ୍ତିବଦ୍ଧ ହୋଇଥିବା ବେଳେ ବିଜ୍ଞାପନ ଶୁଟିଂ ବାବଦକୁ ସେ ବର୍ଷକୁ ୭-୧୦ କୋଟି ଆୟ କରୁଛନ୍ତି । ଏଭଳି ବିଭିନ୍ନ ବ୍ରାଣ୍ଡର ପ୍ରଚାର ପ୍ରସାରରୁ ସେ ୧୭୫ କୋଟି ଟଙ୍କା ପାଉଛନ୍ତି । ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟରୁ ସେ ୮.୯ କୋଟି ଓ ଟ୍ୱିଟରରେ ପ୍ରତି ପୋଷ୍ଟରୁ ୨.୫ କୋଟି ପାଉଛନ୍ତି । ବିରାଟଙ୍କର ମୁମ୍ବାଇରେ ୩୪ କୋଟି ଓ ଗୁରୁଗ୍ରାମରେ ୮୦ କୋଟିର ଦୁଇଟି ବିଳାସପୂର୍ଣ୍ଣ ଅଟ୍ଟାଳିକା ରହିଛି । ବିରାଟଙ୍କ ପାଖରେ ଅନେକ ଦାମୀ କାର ରହିଛି । ବିରାଟ କ୍ରିକେଟ ପଡ଼ିଆରେ ଦଳକୁ ବିଜୟୀ କରାଇବା ପାଇଁ ଯେପରି ସଂଘର୍ଷ କରନ୍ତି ଅନୁରୂପ ଭାବେ ବ୍ୟକ୍ତିଗତ ଜୀବନରେ ଫେସନ୍ ଯୁକ୍ତ ଜୀବନଶୈଳୀକୁ ପସନ୍ଦ କରନ୍ତି ।

Get real time updates directly on you device, subscribe now.