fbpx

ଏ ସେହି ବିରାଟ କୋହଲି ନୁହନ୍ତି, ଯାହାକୁ ଆମେ ଜାଣିଛୁ: ବୀରେନ୍ଦ୍ର ସେହ୍ଵାଗ

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଆଇପିଏଲର ଚଳିତ ସଂସ୍କରଣ ବହୁତ ନିରାଶଜନକ ରହିଛି। ଆଇପିଏଲ ୨୦୨୨ରେ ଖେଳିଥିବା ୧୬ ମ୍ୟାଚରୁ କୋହଲି ୨୨.୭୩ ହାରରେ ମାତ୍ର ୩୪୧ ରନ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ୍। ପ୍ଲେ ଅଫ ପୂର୍ବରୁ କୋହଲି ୭୩ ରନର ଇନିଂସ ଖେଳି ଏହି ଆଶା ଜଗାଇଥିଲେ ଯେ, ସେ ଫର୍ମକୁ ଫେରି ସାରିଛନ୍ତି। ମାତ୍ର ପ୍ଲେ ଅଫର ଦୁଇଟି ମ୍ୟାଚରେ ସଅଳ ଆଉଟ୍ ହେବା ପ୍ରଶଂସକଙ୍କୁ ଖୁବ୍ ବ୍ୟଥିତ କରିଛି। କୋହଲିଙ୍କ ଏହି ଖରାପ ଫର୍ମକୁ ନେଇ ବୀରେନ୍ଦ୍ର ସେହ୍ଵାଗ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, ଏହି ଖେଳାଳି ନିଜର ପୂରା କ୍ୟାରିୟରେ ସେତେ ତ୍ରୁଟି କରିନାହାନ୍ତି ଯେତିକି ଭୁଲ୍ ଏହି ଆଇପିଏଲରେ କରିଛନ୍ତି।

ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ବିପକ୍ଷ ଏଲିମିନେଟର ମୁକାବିଲାରେ କୋହଲି ୨୪ ବଲରୁ ୨୫ ରନର ଧିମା ଇନିଂସ ଖେଳିଥିଲେ ଏବଂ କ୍ଵାଲିଫାୟର ୨ରେ ସେ ରାଜସ୍ଥାନ ବିପକ୍ଷରେ ମାତ୍ର ୭ ରନ କରି ପାଭିଲିୟନ ଫେରିଥିଲେ। କ୍ରିକବଜର ଶୋ ଉପରେ ଭାରତୀୟ ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ସେହ୍ଵାଗ କହିଛନ୍ତି, ଯେବେ ଆପଣ ଫର୍ମରେ ନଥାନ୍ତି ତେବେ ପ୍ରତି ବଲକୁ ବ୍ୟାଟ୍ ମଝିରେ ଖେଳିବାକୁ ଚେଷ୍ଟା କରିବାକୁ ପଡିଥାଏ। ବ୍ୟାଟ୍ ମଝି ମଝିକାରେ ବଲ୍ ବାଜିଲେ ଆତ୍ମ ବିଶ୍ଵାସ ମିଳିଥାଏ। ପ୍ରଥମ କିଛି ଓଭରରେ ସେ କିଛି ବଲ୍ ଛାଡିଛନ୍ତି ମାତ୍ର ଆପଣ ଫର୍ମରେ ନଥାଇ ବାହାର ବଲକୁ ଖେଳିବାକୁ ଚେଷ୍ଟା କରୁଛନ୍ତି। ଅନେକ ଥର ଆପଣଙ୍କ ଭାଗ୍ୟ ଭଲ ଥିବାରୁ ଖରାପ ସମୟରେ ବି ବଲ୍ ବ୍ୟାଟର ଏଜ୍ ନଲାଗି ଚାଲି ଯାଇଥାଏ ଏବଂ ଆପଣ ବଞ୍ଚି ଯାଆନ୍ତି, ମାତ୍ର ଆଇପିଏଲରେ ଏମିତି ହୋଇନାହିଁ।

ସେହ୍ଵାଗ ଏହା ମଧ୍ୟ କହିଛନ୍ତି, ଏ ସେହି ବିରାଟ କୋହଲି ନୁହନ୍ତି ଯାହାକୁ ଆମେ ଜାଣିଛୁ। ବୋଧହୁଏ ଏହି ସିଜିନରେ ଅନ୍ୟ ବିରାଟ କୋହଲି ଖେଳୁଥିଲେ। କୋହଲି ଏତେ ଭୁଲ୍ ନିଜ ପୂରା କ୍ୟାରିୟରରେ କରି ନାହାନ୍ତି ଯେତିକି ଚଳିତ ଆଇପିଏଲରେ କରିଛନ୍ତି। ଯେତେବେଳେ ଆପଣଙ୍କ ବ୍ୟାଟରୁ ରନ ବାହାରୁ ନାହିଁ ଆପଣ ଭିନ୍ନ ଭିନ୍ନ ପ୍ରକାରର ସଟ୍ ଖେଳିବାକୁ ଚେଷ୍ଟା କରିଥାନ୍ତି ଏବଂ ଅଲଗା ଅଲଗା ଶୈଳୀରେ ଆଉଟ୍ ହୋଇଥାନ୍ତି। ଏଥର ବିରାଟ କୋହଲି ପ୍ରତିଟି ଶୈଳୀରେ ଆଉଟ୍ ହୋଇଛନ୍ତି।

Get real time updates directly on you device, subscribe now.