fbpx

ବିହାରରେ ନିର୍ମାଣ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ଼ ରାମମନ୍ଦିର: ଅଯୋଧ୍ୟା ମନ୍ଦିର ସହିତ କ’ଣ ରହିଛି ସମ୍ପର୍କ

ଭଗବାନ ଶ୍ରୀ ରାମ ଏବଂ ତ୍ରେତୟା ଯୁଗରେ ତାଙ୍କର ପ୍ରିୟ ଭକ୍ତମାନଙ୍କ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ରହିଥିଲା । ତେବେ ବର୍ତ୍ତମାନ ସେହି ପରି ସମ୍ପର୍କ ଅଯୋଧ୍ୟାରେ ଥିବା ରାମ ମନ୍ଦିର ଏବଂ ବିହାରର ପାଟନାରେ ସ୍ଥିତ ମହାବୀର ମନ୍ଦିର ମଧ୍ୟରେ ହେବାକୁ ଯାଉଛି। ତେବେ ଏହାର ପ୍ରାରମ୍ଭ ମଧ୍ୟ ମହାବୀର ମନ୍ଦିରରୁ ଆରମ୍ଭ ହୋଇଛି। ବର୍ଷ ବର୍ଷ ଧରି ଅପେକ୍ଷା ଥିବା ରାମ ମନ୍ଦିର ଆସନ୍ତା ବର୍ଷ ଜାନୁଆରୀ ମାସ ୨୨ ତାରିଖରେ ବିଶାଳ ତଥା ଚମତ୍କାର ସମାରୋହରେ ସ୍ଥାପନ ହେବାକୁ ଯାଉଛି।

ତେବେ ଏହା ପରେ ପାଟନାରେ ମହାବୀର ମନ୍ଦିର ପକ୍ଷରୁ ରାମ ମନ୍ଦିରକୁ ପୂର୍ଣ୍ଣ କରିବା ପାଇଁ ନିର୍ମାଣ ହେବାକୁ ଯାଉଛି ଜାନକୀ ମନ୍ଦିର(ସୀତା କୁଣ୍ଡ)। ଏହା ସହିତ ମହାବୀର ମନ୍ଦିର ପକ୍ଷରୁ ଜାନକୀ ନଗର ମଧ୍ୟ ପ୍ରତିଷ୍ଠା କରାଯାଉଛି । ତେବେ ଏଠାରେ ବିଶ୍ୱର ସର୍ବବୃହତ ମନ୍ଦିର ନିର୍ମାଣ କରାଯାଉଛି । ଏହାର ନାମ ‘ବିରାଟ ରାମାୟଣ ମନ୍ଦିର’ ରଖାଯାଇଛି ।

ଅଯୋଧ୍ୟା ଠାରୁ ଜନକପୁର ପର୍ୟ୍ୟନ୍ତ ନିର୍ମିତ ଏହି ରାମ-ଜାନକୀ ରାସ୍ତାରେ ଅବସ୍ଥିତ ବିରାଟ ରାମାୟଣ ମନ୍ଦିର ୧୪୦ ଏକର ପରିମିତ ଅଞ୍ଚଳରେ ବ୍ୟାପିଛି। ତେବେ ଏହା ନିର୍ମାଣ ହେବା ପରେ ଏହା ବିଶ୍ୱର ସର୍ବବୃହତ ମନ୍ଦିର ଭାବରେ ପରିଗଣିତ ହେବ । ମୁଖ୍ୟ ମନ୍ଦିରର ଲମ୍ବ ୧୦୮୦ ଫୁଟ, ଚଉଡା ୫୪୦ ଫୁଟ ଏବଂ ଉଚ୍ଚତା ୨୭୦ ଫୁଟ ରହିବା ନେଇ ସୂଚନା ମିଳିଛି । ଏହା ସହିତ ମନ୍ଦିରରେ ୩୩ ଫୁଟ ଉଚ୍ଚ ଏବଂ ୩୩ ଫୁଟ ବୃତ୍ତାକାର ଶିବଲିଙ୍ଗା ମଧ୍ୟ ସ୍ଥାପନ କରାଯିବ ବୋଲି ଜଣାପଡ଼ିଛି । ତେବେ ଏହା ମଧ୍ୟ ଦୁନିଆର ସବୁଠାରୁ ବଡ ଶିବଲିଙ୍ଗା ହେବ ବୋଲି କୁହାଯାଉଛି । ଏହା ସହିତ ଏକ ହଜାର ଛୋଟ ଶିବଲିଙ୍ଗ ମଧ୍ୟ ଏହାର ଚାରିପାଖରେ ସ୍ଥାପନା କରାଯିବ । ଏହାକୁ ସାହସ୍ରଲିଙ୍ଗମ୍ ନାମ ଦିଆଯିବ ବୋଲି ଜଣାପଡ଼ିଛି । ଅଷ୍ଟମ ଶତାବ୍ଦୀ ପର୍ୟ୍ୟନ୍ତ ଭାରତରେ ସାହସ୍ରଲିଙ୍ଗମ୍ ର ପ୍ରମାଣ ଅଛି ।

ବିରାଟ ରାମାୟଣ ମନ୍ଦିରର ସାହସ୍ରଲିଙ୍ଗମର ଓଜନ ୨୦୦ ମେଟ୍ରିକ୍ ଟନ୍ ହେବ ବୋଲି ସୂଚନା ମିଳିଛି । ବିରାଟ ରାମାୟଣ ମନ୍ଦିରରେ ସମୁଦାୟ ୨୨ ଟି ମନ୍ଦିର ରହିବ। ମନ୍ଦିରରେ ସମୁଦାୟ ୧୨ ଟି ଶିଖର ରହିବା ସହିତ ଏଥିରୁ ଦ୍ୱିତୀୟ ବୃହତ୍ତମ ଶିଖର ଉଚ୍ଚତା ୧୯୮ ଫୁଟ ହେବ । ଏହା ବ୍ୟତୀତ ୧୮୦ ଫୁଟର ୪ ଟି ଶିଖର, ୧୩୫ ଫୁଟର ଗୋଟିଏ ଏବଂ ୧୦୮ ଫୁଟର ୪ ଟି ଶିଖର ରହିବ ।

ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ମନ୍ଦିରର ସମସ୍ତ ୩୧୦୨ ପାଇଲିଂ ଶେଷ ହେବା ସହିତ ବିଦେଶରୁ ଆମଦାନୀ ହୋଇଥିବା ବଡ ଆଧୁନିକ ମେସିନ୍ ସହିତ ମନ୍ଦିରର ପାଇଲିଂ କାର୍ୟ୍ୟ କରାଯାଉଥିବା ସୂଚନା ମିଳିଛି । ଏହି ମନ୍ଦିରର ତଦାରଖ ମଧ୍ୟ ସେହି ସମାନ କମ୍ପାନୀ ଦ୍ୱାରା କରାଯିବ ଯେଉଁମାନେ ଅଯୋଧ୍ୟା ରାମ ମନ୍ଦିରର କାର୍ୟ୍ୟର ଦାୟିତ୍ୱ ନେଉଛନ୍ତି ।

Get real time updates directly on you device, subscribe now.