fbpx

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଏକ ‘ଭାଇରସ୍ ଇଣ୍ଡେକ୍ସିଂ ଲ୍ୟାବ୍’: ଭୂତାଣୁ ପ୍ରତିକାର ପାଇଁ ରାଜ୍ୟ କୃଷି ବିଭାଗର ନୂଆ ଯୋଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ପାରମ୍ପରିକ ଧାନ ଚାଷ ବଦଳରେ ପନିପରିବା ଓ ଫସଲ ଚାଷ ପ୍ରତି ଚାଷୀଙ୍କୁ ଆକୃଷ୍ଟ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସରକାରଙ୍କ ପ୍ରୋତ୍ସାହନ କାରଣରୁ ଚାଷୀମାନେ ଏବେ ବିବିଧ ଫସଲ ଆଡ଼କୁ ଆକୃଷ୍ଟ ହେଉଥିବା ଦେଖାଯାଉଛି । ତେବେ ବିଭିନ୍ନ ସମୟରେ ଫସଲରେ ଲାଗୁଥିବା ମାରାତ୍ମକ ଭୂତାଣୁ ଏବେ ଚିନ୍ତାର କାରଣ ସାଜିଛି ।

ତେଣୁ ଉଦ୍ୟାନ କୃଷିର ଭୂତାଣୁ ପ୍ରତିକାର ପାଇଁ ରାଜ୍ୟ କୃଷି ବିଭାଗ ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି । ରାଜଧାନୀ ଭୁବନେଶ୍ୱରରେ ଏକ ‘ଭାଇରସ୍ ଇଣ୍ଡେକ୍ସିଂ ଲ୍ୟାବ୍’ ପ୍ରତିଷ୍ଠା ହେବ । ଉଦ୍ୟାନ କୃଷିକୁ ଭୂତାଣୁବିହୀନ କରିବା ଲକ୍ଷ୍ୟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆରକେଭିୱାଇ) ଅଧିନରେ ପାଣ୍ଠି ଯୋଗାଇ ଦିଆଯାଇଛି । ସେଣ୍ଟ୍ରାଲ ହର୍ଟିକଲଚରାଲ ଏକ୍ସପେରିମେଣ୍ଟ ଷ୍ଟେସନ (ସିଏଚଇଏସ) ସହାୟତାରେ ଏହି ଲ୍ୟାବ୍ ପ୍ରତିଷ୍ଠା କରାଯିବ ବୋଲି ଜଣାପଡ଼ିଛି ।

ଭୂତାଣୁବିହୀନ ଉଦ୍ୟାନ କୃଷିକୁ ସୁନିଶ୍ଚିତ କରିବା ହେଉଛି ଏହି ଲ୍ୟାବ ପ୍ରତିଷ୍ଠାର ମୁଖ୍ୟ ଉଦ୍ଦେଶ୍ୟ । ଏହି ପରୀକ୍ଷାଗାରରେ ଉଦ୍ୟାନ କୃଷିରେ ଦେଖାଦେଉଥିବା ବିଭିନ୍ନ ପ୍ରକାରର ଭୂତାଣୁ ଉପରେ ପରୀକ୍ଷାନିରୀକ୍ଷା କରାଯିବ । ଉଦ୍ୟାନ କୃଷିରେ ଦେଖାଦେଉଥିବା ରୋଗ ଓ ଭୂତାଣୁ ଚିହ୍ନଟ କରିବା, ନମୂନାକୁ ପରୀକ୍ଷା କରି ତା’ର ବର୍ଗୀକରଣ କରିବା ଓ ଗବେଷଣା ସୂଚନାକୁ ଲିପିବଦ୍ଧ କରିବା ଆଦି ୩ଟି ଦିଗ ଉପରେ ଏହା କାର୍ଯ୍ୟ କରିବ । ପନିପରିବା ଓ ଫଳ ଚାଷରେ ଦେଖାଦେଉଥିବା ଭୂତାଣୁ ଉପରେ ଗବେଷଣା କରାଯାଉ ନଥିବାରୁ ରୋଗ ପୋକ ଦାୟରୁ ବର୍ତ୍ତିବା ସମ୍ଭବପର ହେଉନାହିଁ । ତେଣୁ ଏହି ସମସ୍ୟାକୁ ଦୂର କରିବା ଲକ୍ଷ୍ୟରେ କୃଷି ବିଭାଗ ପକ୍ଷରୁ ଭାଇରସ୍ ଇଣ୍ଡେକ୍ସିଂ ଲ୍ୟାବର ପରିକଳ୍ପନା କରାଯାଇଥିଲା । ତେବେ ଏହା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ସର୍ଭେ କରାଯାଇ ଉଦ୍ୟାନ କୃଷି ସମ୍ପର୍କିତ ନମୂନା ଓ ରିପୋର୍ଟ ସଂଗ୍ରହ କରାଯାଇଛି । ବୈଜ୍ଞାନିକମାନେ ତାହାକୁ ବିଶ୍ଲେଷଣ କରିବା ସହ ଆନୁଷଙ୍ଗିକ ଗବେଷଣା କରି ରିପୋର୍ଟ ପ୍ରସ୍ତୁତ କରିବେ । ବାହାରୁ ଆମଦାନୀ ହେଉଥିବା ବିହନରେ କି ଭୂତାଣୁ ରହିଛି, ତାହା ଲ୍ୟାବରେ ପରୀକ୍ଷା କରାଯିବ ।

Get real time updates directly on you device, subscribe now.