fbpx
BJD SKY
BJD SKY

ବାହାନଗା ଦୁର୍ଘଟଣା: ମୃତକଙ୍କ ଆତ୍ମାଶାନ୍ତି ପାଇଁ ବିଶ୍ୱଶାନ୍ତି ମହାଯଜ୍ଞ, ଆହତଙ୍କ ଆରୋଗ୍ୟ ପାଇଁ ଚାଲିଛି ନାମକୀର୍ତ୍ତନ

BJD

ବାଲେଶ୍ୱର: ବାହାନଗାରେ କରମଣ୍ଡଳ ଦୁର୍ଘଟରାକୁ ୧୧ ଦିନ ବିତି ଯାଇଛି ସତ, କିନ୍ତୁ ଏବେବି ମନରୁ ଲିଭିନ୍ନ ସେହି ରାତିର ଛାତିଥରା କାହାଣୀ । ଏବେ ବି ଅନେକ ଲୋକଙ୍କୁ ଶୁଭୁଛି ଦୁର୍ଘଟଣା ସମୟର ସେ ଭୟଙ୍କର ଶବ୍ଦ ଆଉ ହଜାର ହଜାର ଲୋକଙ୍କ ଆକୁଳ ଚିତ୍କାର । ଚାହୁଁ ଚାହୁଁ ହସଖୁସିରେ ଆଗେଇ ଚାଲିଥିବା ଟ୍ରେନ ପାଲଟି ଯାଇଥିଲା ମରଣଯନ୍ତା । କେଇଟା ମୁହୂର୍ତ୍ତରେ ଶହ ଶହ ଜୀବନ ପାଣି ଫୋଟକା ପରି ମିଳେଇ ଯାଇଥିଲା । ଆହୁରି ହଜାରରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମରଣ ସହ ଲଢେଇ ଜାରି ରହିଛି । ତେବେ ଆଜି ସେମାନଙ୍କ ପାଇଁ ବାହାନଗାବାସୀ ଭଗବାନଙ୍କୁ ସ୍ମରଣ କରିଛନ୍ତି ।

ବାହାନଗା ଷ୍ଟେସନର ଲୋମହର୍ଷଣକାରୀ ଦୃଶ୍ୟକୁ ମନରୁ ଲିଭାଇବା ପାଇଁ ଭଗବାନଙ୍କ ଶରଣ ଯାଇଛନ୍ତି ସ୍ଥାନୀୟ ଲୋକେ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ଯାତ୍ରୀଙ୍କ ଆତ୍ମାର ସଦଗତି ପାଇଁ ଅଞ୍ଚଳବାସୀ ଏକ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ କରିଛନ୍ତି । ଏହି ମୃତକମାନଙ୍କ ମଧ୍ୟରୁ ଅନେକ ଶବ ଏପର୍ଯ୍ୟନ୍ତ ସେମାନଙ୍କ ପରିବାରରେ ପହଞ୍ଚି ପାରିନି ତ ଆଉ କିଛି ମୃତଦେହକୁ ନେବା ପାଇଁ କେହି ନାହାନ୍ତି । ଏମିତି ପରିସ୍ଥିତିରେ କେହି ସେମାନଙ୍କର ଏକାଦଶାହ କ୍ରିୟା କରିଥିବେ କି ନାହିଁ ତାହା ମଧ୍ୟ ସନ୍ଦେହ । ତେଣୁ ଏଠାକାର ଲୋକଙ୍କ ଦ୍ୱାରା ସମସ୍ତ ମୃତକଙ୍କ ପାଇଁ ସାମୂହିକ ଭାବରେ ସମସ୍ତଙ୍କ ଆତ୍ମାର ସଦଗତି ନିମନ୍ତେ ଏହି ଯଜ୍ଞ ଅନୁଷ୍ଠିତ ହୋଇଛି ।

ସେହିପରି ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଯାତ୍ରୀମାନଙ୍କ ଆରୋଗ୍ୟ କାମନା କରି ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ମଧ୍ୟ କରାଯାଉଛି । ଏହାସହିତ ସାମୂହିକ ବେଦପାଠ ଏବଂ ଦୀପଦାନ କରିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । ସକାଳ ୫ଟାରୁ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ୯ଟାରୁ ଗାୟତ୍ରୀ ମନ୍ତ୍ର ଜପ କରାଯାଇଛି । ଏହାପରେ ସର୍ବଧର୍ମ ପ୍ରାର୍ଥନା ସଭା ଏବଂ ଶ୍ରଦ୍ଧାଞ୍ଜଳି ଓ ବେଦପାଠ ସହ ମୃତକଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯିବ । ଏହି ମହତ୍ କାର୍ଯ୍ୟକ୍ରମରେ ବାହାନଗା, ସୋର ଅଞ୍ଚଳବାସୀଙ୍କ ସହିତ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ଯୋଂଗ ଦେଇଛନ୍ତି ।

Get real time updates directly on you device, subscribe now.