‘ସତ୍ୟ ସପକ୍ଷରେ ଭୋଟ୍ ଦିଅନ୍ତୁ, ମୁଁ ଆପଣଙ୍କୁ…’, ୱାୟନାଡ୍ ଉପ ନିର୍ବାଚନ ପ୍ରଚାର ସମୟରେ କହିଥିଲେ ପ୍ରିୟଙ୍କା ଗାନ୍ଧୀ
ନୂଆଦିଲ୍ଲୀ: ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କେରଳ ୱାୟନାଡ୍ ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ପ୍ରଚାର କରିଥିଲେ । ସେହି ସମୟରେ ସେ ଏକ ରୋଡ୍ ଶୋ ବି କରିଥିଲେ । ସେଠାରେ ଜନସଭାକୁ ସମ୍ବୋଧିତ କରି କହିଥିଲେ, ‘ୱାୟନାଡ୍ ଆସନ ଛାଡ଼ିବା ନେଇ ରାହୁଲ ଗାନ୍ଧୀ ବହୁତ ଦୁଃଖିତ । ସମସ୍ତେ ତାଙ୍କ ଠାରୁ ଦୂରେଇଯିବା ପରେ ଆପଣମାନେ ତାଙ୍କ ସାଥିରେ ଛିଡ଼ା ହୋଇଥିଲେ । ରହୁଲ କୁହନ୍ତି କି ଆପଣମାନେ ତାଙ୍କ ପାଇଁ ପରିବାର ଭଳି ।’ ଏହା ସହ ପ୍ରିୟଙ୍କା ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ କହିଥିଲେ, ‘ବିଜେପି ସରକାରଙ୍କ ପାଇଁ ସମ୍ପ୍ରଦାୟ ମଧ୍ୟରେ ଭୟ, ଅବିଶ୍ୱାସ, କ୍ରୋଧ ବ୍ୟାପୁଛି । ମଣିପୁରରେ ଯୋଜନାବଦ୍ଧ ଭାବରେ ଏପରି କରାଯାଇଥିଲା । ନୀତି ନିୟମ ସବୁ ସାଧାରଣଜନତାଙ୍କ ପାଇଁ ନୁହେଁ ବରଂ ପିଏମ୍ ସାଙ୍ଗସାଥିଙ୍କୁ ଫାଇଦା ପ୍ରଦାନ କରୁଛି । କୃଷକ ଏବଂ ଆଦିବାସୀଙ୍କ ଜମି ହଡ଼ପ କରାଯାଉଛି ।’ ଏହା ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ୱାୟନାଡର ସ୍ଥାନୀୟ ପ୍ରସଙ୍ଗ ଯେପରି ମେଡିକାଲ କଲେଜ, ବନପ୍ରାଣୀଙ୍କ ସମସ୍ୟା ବିଷୟରେ ଆଲୋକପାତ କରି କହିଥିଲେ, ‘ମୁଁ ରାହୁଲ ଗାନ୍ଧୀଙ୍କ ଭଳି ସମସ୍ତ ଶକ୍ତି ସହ ଏଠିକାର ପ୍ରସଙ୍ଗ ଉଠାଇବି । ଆଜି ଆମେ ଗଣତନ୍ତ୍ର, ସମାନତା, ସଚ୍ଚୋଟତାର ଲଢ଼େଇ ଲଢ଼ୁଛୁ । ଏହି ଲଢ଼େଇରେ ଆପଣମାନଙ୍କ ମଧ୍ୟ ସମାନ ଅଧିକାର ଅଛି । ଆପଣ ନିଜ ଭୋଟ୍ ମାଧ୍ୟମରେ ସତ୍ୟର ସାଥ୍ ଦେଇପାରିବେ । ମୋତେ ଏହି ବିଶ୍ୱାସ ଦେଲେ ମୁଁ ଆପଣମାନଙ୍କୁ ନିରାଶ କରିବି ନାହିଁ ।’ ଏହା ବାଦ୍ ସେ ତାଙ୍କ ପିତା ରାଜୀବ ଗାନ୍ଧୀ ଏବଂ ମଦର ଟେରେସାଙ୍କ ସ୍ମୃତିକୁ ନେଇ ଚର୍ଚ୍ଚା ମଧ୍ୟ କରିଥିଲେ ।