ପ୍ରାଣ ବଞ୍ଚେଇ ଦୌଡ଼ିଲା ପୋଲିସ, ପରିଚୟ ପତ୍ର ଚିରିବା ସହ ଗାଳି ଦେଉଥିବା ଅଭିଯୋଗ ଆସିଲା ସାମ୍ନାକୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଜଫରନଗରସ୍ଥିତ ମୀରାପୁରରେ ଭୋଟ ଗ୍ରହଣ ବେଳେ ପୋଲିସ ଉପରକୁ ପଥର ମାଡ଼ କରିଛନ୍ତି ଲୋକେ । ସୂଚନାଯୋଗ୍ୟ ମୁସଲିମ ସମ୍ପ୍ରଦାୟର ବହୁ ଲୋକ ଭୋଟ ଦେବା ପାଇଁ ବୁଥରେ ପହଞ୍ଚିଥିଲେ । ବୁଥ୍ ସାମ୍ନାରେ ଗହଳି ନ କରିବା ପାଇଁ ପୋଲିସ କହିବାରୁ ସେମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ଢେଲା ପଥର ମାଡ଼ କରିବାର ସୂଚନା ପାଇ ଏସଏସପି ସେଠାରେ ପହଞ୍ଚିଥିଲେ । ପୋଲିସମାନେ ଭୋଟରଙ୍କୁ ହଇରାଣ କରିବା ସହ ସେମାନଙ୍କ ଆଇକାର୍ଡ ଚିରି ଦେଉଥିବା ଅଭିଯୋଗ ଆଣିଛନ୍ତି ସାଧାରଣ ଲୋକେ । ଭୋଟ୍ ଦେବାକୁ ଆସୁଥିବା ଲୋକଙ୍କୁ ପୋଲିସ ଗାଳି କରୁଥିବା କୁହାଯାଉଛି । କିଛି ସମୟ ଭୋଟର ଓ ପୋଲିସଙ୍କ ଭିତରେ ହଙ୍ଗାମା ହେବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଢେଲାମାଡ଼ ଖାଇ ପୋଲିସ ପ୍ରାଣ ବିକଳରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି ।

ଉତ୍ତରପ୍ରଦେଶ, ପଞ୍ଜାବ, କେରଳ ଏବଂ ଉତ୍ତରାଖଣ୍ଡର ୧୫ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଛି । କେବଳ ଉତ୍ତର ପ୍ରଦେଶର ୯ ଗୋଟି ଆସନ ପାଇଁ ଭୋଟିଂ କରାଯାଉଛି । ଜାରି ଥିବା ଉପନିର୍ବାଚନର ଫଳାଫଳ ୨୦୨୭ ନିର୍ବଚନରେ ରାଜ୍ୟରେ କେଉଁ ସରକାର ଆସିବ ତାହା ସ୍ପଷ୍ଟ କରିବ ବୋଲି ଅନେକ ମତ ରଖିଛନ୍ତି ।