fbpx

ନିଜ ପିଲାଙ୍କ ପାଇଁ ଆଦର୍ଶ ଅଭିଭାବକ ହେବାକୁ ଚାହାଁନ୍ତି କି ? ଆପଣାନ୍ତୁ ଏହି ଟିପ୍ସ

ନିଜ ପିଲାଙ୍କୁ ଭଲ ମଣିଷ ଭାବେ ଗଢ଼ିବାରେ ସବୁ ଅଭିଭାବକଙ୍କ ରହିଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା । କାରଣ ସେମାନେ ହିଁ ହୋଇଥାନ୍ତି ପିଲାଙ୍କର ପ୍ରଥମ ଗୁରୁ । ଯଦି ଆପଣ ବି ନିଜ ପିଲାଙ୍କ ପାଇଁ ଆଦର୍ଶ ଅଭିଭାବକ ହେବାକୁ ଚାହାନ୍ତି ତେବେ ଜାଣି ରଖନ୍ତୁ କେତୋଟି ଟିପ୍ସ…

ହୁଅନ୍ତୁ ରୋଲ୍‌ ମଡେଲ୍‌: ସାଧାରଣତଃ ପିଲାମାନେ ଅନୁକରଣ ପ୍ରିୟ ହୋଇଥିବାରୁ ସେମାନେ ପ୍ରଥମେ ମାଆବାପାଙ୍କଠାରୁ ଅନେକ କଥା ଶିଖନ୍ତି। ତେଣୁ ପିଲାଙ୍କ ଆଗରେ ଏଭଳି କାର୍ଯ୍ୟ କରନ୍ତୁ, ଯାହାକୁ ଦେଖି ସେମାନେ ଆପଣଙ୍କୁ ନିଜର ରୋଲ୍‌ ମଡେଲ ଭାବିବେ ଏବଂ ନିଜେ ମଧ୍ୟ ସେଭଳି କାର୍ଯ୍ୟ କରିବେ, ଯାହାକି ଭବିଷ୍ୟତରେ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ସାହାଯ୍ୟ କରିବ।

ସ୍ନେହ ଆଦର କରନ୍ତୁ: ପିଲାଙ୍କୁ ଆକଟ କରିବା ଆଳରେ ଅନେକ ଅଭିଭାବକ ଗାଳି କିମ୍ବା ମାଡ଼ ଦେବାକୁ ବି ପଛାଇ ନ ଥାନ୍ତି। ହେଲେ ଏହାଦ୍ୱାରା ପିଲା ସୁଧୁରିବା ବଦଳରେ ଅଧିକ ବିଗିଡ଼ି ଯାଆନ୍ତି। ତେଣୁ ଏପରି ନ କରି ପିଲାଙ୍କୁ ଯଥେଷ୍ଟ ସ୍ନେହ, ଆଦର ଏବଂ ଭଲ ପାଇବା ଦିଅନ୍ତୁ ଦେଖିବେ ସେମାନେ ଆପଣଙ୍କ ପ୍ରତ୍ୟେକ କଥା ମାନିବେ। ହେଲେ ମନେରଖନ୍ତୁ ଭଲ ପାଇବାର ଅର୍ଥ ନୁହେଁ ସେମାନଙ୍କୁ କୌଣସି କଥାରେ ବାରଣ ନ କରିବା କିମ୍ବା ତାଙ୍କର ସବୁ ଡିମାଣ୍ଡ ପୂରଣ କରିବା। ପିଲାଙ୍କ ଆବଶ୍ୟକତାକୁ ଆଖିଆଗରେ ରଖି ଡିମାଣ୍ଡ ପୂରଣ କରନ୍ତୁ।

ତୁଳନା କରନ୍ତୁ ନାହିଁ: ଅନେକ ଅଭିଭାବକ ନିଜ ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତି ଏବଂ ଅନ୍ୟପରି ସଫଳତା ହାସଲ କରିବାକୁ ଚାପ ପକାନ୍ତି। କେହି କେହି ପିଲାଙ୍କ ସାମାନ୍ୟ ଅସଫଳତାରେ ଗାଳି ମଧ୍ୟ ଦେଇଥାନ୍ତି; ଯାହାକି ପିଲାଙ୍କୁ ମାନସିକ ଆଘାତ ଦେଇଥାଏ। ମନେରଖନ୍ତୁ ସବୁ ପିଲା ସମାନ ନୁହନ୍ତି, ତେଣୁ ଆପଣ ନିଜ ପିଲା ଭିତରେ ଥିବା ଯୋଗ୍ୟତାକୁ ଚିହ୍ନନ୍ତୁ ଏବଂ କାହା ସହ ତୁଳନା ନ କରି ଏହାକୁ ବିକଶିତ କରିବା ଲାଗି ଉତ୍ସାହିତ କରନ୍ତୁ।

ମିଛ କୁହନ୍ତୁ ନାହିଁ: ଛୋଟ ହେଉ ବା ବଡ଼ ପିଲାଙ୍କ ଆଗରେ ଅଭିଭାବକ ମିଛ କହିବା ଆଦୌ ଠିକ୍‌ ନୁହେଁ। କାରଣ ଏହା ପିଲାଙ୍କୁ ବିପଥଗାମୀ କରାଇଥାଏ। ତେଣୁ ନିଜେ ସତ କରିବା ସହ ପିଲାଙ୍କୁ ସର୍ବଦା ସତ କହିବା ଏବଂ ସତ୍‌ମାର୍ଗରେ ଚାଲିବା ଶିଖାନ୍ତୁ।

Get real time updates directly on you device, subscribe now.