fbpx

Video: ପକେଟରେ ୧୫ପୃଷ୍ଠା ଜାଣିପାରିଲାନି ପୋଲିସ, ଟାଙ୍କି ଭିତରେ କାଗଜ ହୋଇଥିଲା ଲାମିନେସନ!

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚ ନେଇଥିବା ବେଳେ ପ୍ରତିଦିନ କିଛିନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍‌ ଅଭିଯୁକ୍ତ ଗୋପାଳ ଦାସଙ୍କୁ ୪ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା ଜାରି ରଖିଛନ୍ତି। ଏହା ମଧ୍ୟରେ ନବ ଦାସ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ବଡ଼ ଟ୍ୱିଷ୍ଟ। ପାଇଖାନା ଟାଙ୍କିରୁ ଜବତ ହୋଇଛି ବହିଷ୍କୃତ ଏଏସଆଇ ଗୋପାଳଙ୍କ ହାତଲେଖା କାଗଜ।

ଝାରସୁଗୁଡ଼ା ଏୟାରପୋର୍ଟ ଥାନା ଲାଟ୍ରିନ ସ୍ୱେରେଜ ଟାଙ୍କି ଖୋଳାଯାଉଥିବା ବେଳେ ପୋଲିସ ହାତରେ ଲାଗିଥିଲା ଏକ ବଡ଼ ସୁରାକ । ଟାଙ୍କି ଭିତରୁ ଗୋପାଳଙ୍କ ୧୫ ଖଣ୍ଡ ହାତଲେଖା କାଗଜ ମିଳିଛି । ଏହି କାଗଜଗୁଡ଼ିକୁ ଲାଟ୍ରିନରେ ଫ୍ଲସ୍ କରାଯାଇଥିବା ପୋଲିସ ଜାଣିବାକୁ ପାଇଛି। ଏହାକୁ ଗୋପାଳ ଲେଖିଥିବା କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ଏହି କାଗଜକୁ ଗୋପାଳ ନିଜ ପକେଟରେ ଧରି ବୁଲୁଥିଲେ। ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଏହି କାଗଜରେ ସେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା କୁହାଯାଉଛି। ପାଇଖାନା ଟାଙ୍କିରେ ପ୍ରମାଣ ଲୁଚି ରହିଥିବା ନେଇ ବୁଧବାର ରାତିରେ ଚର୍ଚ୍ଚା ଜୋର ଧରିବା ପରେ କ୍ରାଇମବ୍ରାଞ୍ଚ ତାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା। ବୁଧବାର ବିଳମ୍ବିତ ରାତିରେ ପୋଲିସ ସହାୟତାରେ କ୍ରାଇମବ୍ରାଞ୍ଚ ଟିମ୍ ପାଇଖାନା ଟାଙ୍କି ଖୋଳି ଏହି ହାତଲେଖା ଚିଠିକୁ ଜବତ କରିଥିଲେ। ଏହାକୁ ଫୋରେନ୍‌ସିକ୍‌ ଲାବୋରୋଟୋରିକୁ ପଠା ଯିବା ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ପୁଣି ଥରେ ବଡମାଳ ଥାନାକୁ ଯାଇ ନବ ଦାସଙ୍କ ଗାଡିର ଟିକିନିଖି ଯାଞ୍ଚ କରୁଛି। ବୁଧବାର ମଧ୍ୟ ଟିମ୍ ଗାଡିର ଯାଞ୍ଚ କରିଥିଲା। ଗୁଳି ଖୋଜିବା ସ୍ଥାନ ସହ ରକ୍ତ ଛିଟା ଆଦିର ତଦନ୍ତ ମଧ୍ୟ ଜାରି ରଖିଛି। ତଦନ୍ତ ସମୟରେ ଫୋରେନ୍‌ସିକ ଟିମ୍ ମଧ୍ୟ ସହାୟତା ଯୋଗାଇ ଦେଉଛି।

 

 

Get real time updates directly on you device, subscribe now.