ଭୁବନେଶ୍ୱର,୨ ।୪(ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଝାରସୁଗୁଡା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ କରାଯାଇଛି । ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଝାରସୁଗୁଡା ଜିଲ୍ଲାପାଳ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏଣିକି ପରିବା ଓ ଖାଦ୍ୟ ସାମଗ୍ରୀ ଏକାଧିକ ସ୍ଥାନରେ ବିକ୍ରି ବ୍ୟବସ୍ଥା ହେବ ।
ତେବେ ଆଜି ରାଜ୍ୟରେ ପୁଣି ୪୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୮୯ ଜଣ ଚିହ୍ନଟ ହୋଇଛନ୍ତି । କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୭ ହଜାର ୨୧୨ ରହିଥିବା ବେଳେ ୨୫୮୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ନୂଆପଡା ଜିଲ୍ଲାରୁ ସର୍ବାଧିକ ୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।