fbpx

ପଶ୍ଚିମବଙ୍ଗ ଟ୍ରେନ ଦୁର୍ଘଟଣାର ‘ସଙ୍କଟମୋଚକ’: ଯାତ୍ରୀଙ୍କୁ ଦେଇଥିଲେ ବଞ୍ଚିବାର ଆଶା, ମିଳିବ ସରକାରୀ ଚାକିରି

ଦାର୍ଜିଲିଂ: ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ ଘଟି ଯାଇଥିବା ଭୟାନକ ଟ୍ରେନ ଦୁର୍ଘଟଣା ସାରା ଦେଶକୁ ଚମକାଇ ଦେଇଛି । ବର୍ଷକ ତଳେ ବାହାନଗା ଏବଂ ଗତକାଲିର ଏହି ଦୁର୍ଘଟଣା ଭାରତୀୟ ରେଳବାଇ ପାଇଁ ଏକ କଳଙ୍କର ଚିହ୍ନ କୁହାଯାଇପାରେ । ଦାର୍ଜିଲିଂର ଏହି ଟ୍ରେନ ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ବଳରେ ଉଦ୍ଧାର କାର୍ଯ୍ୟ ସହଜ ହୋଇଥିଲା । ଯାହା ଫଳରେ କମ୍ ସମୟରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ହୋଇପାରିଛି । ତେଣୁ ଏହି ଅପୂର୍ବ ପ୍ରୟାସ ପାଇଁ ଏହି ସ୍ଥାନୀୟ ଲୋକମାନଙ୍କୁ ଉପହାର ଦେବାକୁ ଚିନ୍ତା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଉପହାର ସ୍ୱରୂପ ଏମାନଙ୍କୁ ସରକାରୀ ଚାକିରି ଯୋଗାଇ ଦେବାକୁ ସେ ଘୋଷଣା କରିଛନ୍ତି ।

ଦାର୍ଜିଲିଂ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥିବା ସ୍ଥାନୀୟ ଲୋକଙ୍କୁ ସରକାରୀ ଚାକିରି ଯୋଗାଇ ଦେବା ପାଇଁ ମମତା ସରକାର ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ସମସ୍ତ ଲୋକେ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେମାନେ କହିଛନ୍ତି ଯେ, ଆମେ କେବଳ ଜଣେ ମଣିଷର କର୍ତ୍ତବ୍ୟ କରିଛୁ । କୌଣସି ସରକାରୀ ଚାକିରି ପାଇବା ପାଇଁ କିମ୍ବା ଅନ୍ୟ କୌଣସି ଉପହାର ଲୋଭରେ ଏହା କରିନାହୁଁ । କିନ୍ତୁ ଯଦି ଆମକୁ ଏଥିପାଇଁ ସରକାରୀ ଚାକିରି ମିଳେ, ଏହା ଆମ ପାଇଁ ସୌଭାଗ୍ୟର ବିଷୟ ହେବ ।

ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ଘୋଷଣାର ତାଲିକାରେ ରହିଛନ୍ତି ୧୦ ବୀର ଯୁବକ । ମହମ୍ମଦ ଆକବର, ଏମ.ଡି ହସନ୍, ମୋହମ୍ମଦ ଅଜହର, ଏମଡି ମସକାଦୁଲ, ଶ୍ରୀ ଫହିରୁଦ୍ଦିନ, ମୋହମ୍ମଦ ନଜୀର ହୁସେନ୍ ପ୍ରମୁଖ ଏହି ତାଲିକାରେ ସାମିଲ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ମୋହମ୍ମଦ ଅନୱର, ମୋହମ୍ମଦ ମେହବୁବ ଆଲମ, ମୋହମ୍ମଦ ରହିମ ହୁାସନ୍ ଏବଂ ମୋହମ୍ମଦ ଫିରଦୋସ ଆଲମ ନିଜ ଜୀବନକୁ ବାଜି ଲଗାଇ ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି ।

ସୂଚନା ଅନୁସାରେ, ଇଦ୍ ଯୋଗୁଁ ନମାଜ ପଢି ଫେରୁଥିବା ବେଳେ ଏମାନେ ଟ୍ରେନ ଦୁର୍ଘଟଣା ହେବାର ଦେଖିଥିଲେ । ତେବେ ପୋଲିସ ପ୍ରଶାସନକୁ ସୂଚନା ଦେଇଥିଲେ । କିନ୍ତୁ ପ୍ରଶାସନ ପହଞ୍ଚିବା ପୂର୍ବରୁ ୮-୧୦ ଆମ୍ବୁଲାନ୍ସ ଡାକିବା ସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରି ସାରିଥିଲେ ଏହି ସଚେତନ ନାଗରିକ । କିନ୍ତୁ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଏମାନେ କାନ୍ଧରେ ପ୍ରାୟ ୨୦-୩୦ ଯାତ୍ରୀଙ୍କୁ ମେଡିକାଲରେ ପହଞ୍ଚିଥିଲେ ଜୀବନ ବଞ୍ଚାଇ ଦେଇଛନ୍ତି । ତେବେ ଏହି କାର୍ଯ୍ୟରେ କିଛି ସ୍କୁଲ ଛାତ୍ର, କୃଷକ ଏବଂ ସାଧାରଣ ଲୋକ ମଧ୍ୟ ସହଯୋଗ କରିଛନ୍ତି । ଏହାବ୍ୟତୀତ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଯାତ୍ରୀମାନଙ୍କ ନିକଟରୁ ଉଦ୍ଧାର କରିଥିବା ମୋବାଇଲ ଫୋନ୍, ପର୍ସ ତଥା ଅନ୍ୟାନ୍ୟ ଜିନିଷକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି । ସେହିପରି ଆବଶ୍ୟକୀୟ ସ୍ଥାନରେ ସେମାନେ ଆହତଙ୍କ ପାଇଁ ରକ୍ତଦାନ ମଧ୍ୟ କରିଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.