fbpx
BSKY
BJD MC SKY
BJD MS SKY

ଭାରତରେ ରେଳ ଦୁର୍ଘଟଣା ଘଟୁଛି କାହିଁକି: ଏଥିପାଇଁ ଦାୟୀ କିଏ, ଏହା ପଛରେ ରହିଛି ଅନେକ କାରଣ, ସମାଧାନ କିପରି ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଘଟଣା ପଛର କାରଣ ଓ ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏବେ ଉଠିଛି ପ୍ରଶ୍ନ । ବାହାନଗା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଭାରତରେ ଏକାଧିକ ବଡ଼ଧରଣର ଟ୍ରେନ ଦୁର୍ଘଟଣା ଘଟିବା ସହିତ ବହୁ ଲୋକଙ୍କର ଜୀବନ ହାନୀ ହୋଇଥିଲା । ତେବେ ଏହି ଦୁର୍ଘଟଣାର କାରଣ ହିଁ ଆଜି ଦେଶ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଏଠାରେ ପ୍ରଶ୍ନ ଉଠେ, ପ୍ରକୃତରେ ଭାରତରେ ଟ୍ରେନ ଦୁର୍ଘଟଣା ଘଟୁଛି କାହିଁକି? ବୈଦ୍ୟୁତିକ ସିଗନାଲ ଜନିତ ତ୍ରୁଟି ହିଁ ବାହାନଗା ଦୁର୍ଘଟଣାର କାରଣ ବୋଲି କୁହାଯାଉଛି । ଟେକ୍ନିକାଲ ତ୍ରୁଟି କାରଣରୁ ପୂର୍ବରୁ ଦେଶରେ ଏକାଧିକ ଦୁର୍ଘଟଣା ଦେଖିବାକୁ ମିଳିଛି । ଏଥିସହିତ ସିଗନାଲ ଦେବା ନେଇ ଦାୟିତ୍ୱହୀନତା ମଧ୍ୟ ଏଥିପାଇଁ ଦାୟୀ । ଇଣ୍ଟରଲକିଂରେ ତ୍ରୁଟି କାରଣରୁ ବାହାନଗାରେ ୨୮୮ ଜଣ ମୃତ୍ୟୁବରଣ କରିବା ସହିତ ୧ ହଜାର ଯାତ୍ରୀ ଆହତ ହୋଇଥିଲେ ।

୧୯୯୯ରେ ସିଗନାଲିଂ ତ୍ରୁଟି କାରଣରୁ କୋଲକତାରେ ଟ୍ରେନ ଦୁର୍ଘଟଣାରେ ୨୮୫ ଜଣ ମରିବା ସହିତ ୨୫୦୦ ଆହତ ହୋଇଥିଲେ । ତେବେ ଦୀର୍ଘ ୨୪ ବର୍ଷ ଧରି ଦେଶରେ ଦେଖାଯାଇଥିବା ଏକାଧିକ ଦୁର୍ଘଟଣାରୁ ଏହା ସ୍ପଷ୍ଟ ହେଉଛି ଯେ, ଟ୍ରେନ ଟ୍ରାକରୁ ବାହାରିଯିବା ଓ ସିଗନାଲରେ ସମସ୍ୟା ହିଁ ଦୁର୍ଘଟଣାର ପାଇଁ ଦାୟୀ । ତେଣୁ ଏଠାରେ ପ୍ରଶ୍ନ ଉଠେ ଟ୍ରେନ ଟ୍ରାକରୁ କାହିଁକି ଓ କିପରି ବାହାରି ଯାଇଥାଏ ।

ସାଧାରଣ ଭାବେ ଟ୍ରାକ ଖରାପ ହେବା, ବଗିରେ ତ୍ରୁଟି ରହିବ ଓ ଡ୍ରାଇଭିଂରେ ତ୍ରୁଟି କାରଣରୁ ଟ୍ରେନ ଟ୍ରାକରୁ ବାହାରି ଯାଇଥାଏ । ୨୦୧୯-୨୦ର ଏକ ସରକାରୀ ରେଳ ସୁରକ୍ଷାର ରିପୋର୍ଟ ମୁତାବକ, ୭୦ ପ୍ରତିଶତ ରେଳ ଦୁର୍ଘଟଣା ଟ୍ରାକରୁ ବାହାରିବା କାରଣରୁ ହୋଇଥାଏ । ସେହିପରି ଅନ୍ୟ ଏକ ରିପୋର୍ଟ ମୁତାବକ, ଅଧିକ ଗରମ ବା ଥଣ୍ଡା କାରଣରୁ ଟ୍ରାକରେ ବିସ୍ତାର ଓ ସଂକୋଚନ ହୋଇଥାଏ । ‘ରେଳ ଫ୍ରାକଚର’ କାରଣରୁ ଅଧିକାଂଶ ଟ୍ରେନ ଟ୍ରାକରୁ ବାହାରି ଯାଇଥାଏ । ଯେତେବେଳେ ସିଗନାଲ ଭୁଲ ଥାଏ, ଏଥିସହିତ ମେକାନିକାଲ ଓ ସିଭିଲ ଇଞ୍ଜିନିୟରିଂ ବିଫଳତା ହୁଏ ସେ କ୍ଷେତ୍ରରେ ଟ୍ରେନ ଟ୍ରାକରୁ ବାହାରି ଯାଇଥାଏ ।

ଏହାଛଡ଼ା ସବୁଠାରୁ ବଡ଼ ସମସ୍ୟା ହେଉଛି, ଭାରତର ଅଧିକାଂଶ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଜେନେରାଲ ବଗିରେ ଯାତ୍ରା କରନ୍ତି । ବିନା ଟେକନିକଯୁକ୍ତ ଟ୍ରେନରେ ଦେଶର ଅଧା ଜନସଂଖ୍ୟା ଯାତ୍ରା କରନ୍ତି । ସେଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ । ଦେଶରେ ଟ୍ରେନର ଏତେ ଅଭାବ ରହିଛି ଯେ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନରେ ପାଦ ରଖିବାକୁ ଜାଗା ନଥାଏ । ସୁରକ୍ଷା କବଚ ସହିତ ଅଧିକ ସୁରକ୍ଷା ମିଳୁଥିବା ଟ୍ରେନରେ କେବଳ ଧନୀ ଶ୍ରେଣୀର ଲୋକମାନେ ଯାତ୍ରା କରିଥାନ୍ତି । ଏଥିସହିତ ସାଧାରଣ ଲୋକଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବା ସହିତ ପୂରାତନ କାଳରୁ ଚାଲି ଆସୁଥିବା ପାସେଞ୍ଜର ଟ୍ରେନ ଓ ରେଳ ଲାଇନକୁ ଅତ୍ୟାଧୁନିକ କରିବା ନେଇ ମଧ୍ୟ ଅନେକ ମତ ଦେଇଛନ୍ତି ।

ରେଳ ବିଭାଗ ପରି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପ୍ରତି କେନ୍ଦ୍ର ସରକାର ଅଧିକ ଯତ୍ନଶୀଳ ହେବାର ଆବଶ୍ୟକତା ରହିଛି । ଯଦି ଭାରତ ସରକାର ଜାପାନ, ଚୀନକୁ ଅନୁସରଣ କରି ସେଠାରେ କାର୍ଯ୍ୟକାରୀ ହୋଇଥିବା ବୈଷୟିକ ଜ୍ଞାନକୌଶଳକୁ ଏଠାରେ ଲାଗୁ କରନ୍ତେ, ତେବେ ହୁଏତ ଦୁର୍ଘଟଣା କିଛି ମାତ୍ରାରେ ହ୍ରାସ ପାଇ ପାରନ୍ତା ।

Get real time updates directly on you device, subscribe now.