fbpx

ଶ୍ରଦ୍ଧା ହତ୍ୟାକାଣ୍ଡଠୁ ଅଧିକ ବୀଭତ୍ସ, ପ୍ରେମିକାର ଶବକୁ କଟରରେ କାଟିବା ପରେ ପ୍ରେସର କୁକରରେ ସିଝାଇ ଖାଇବାକୁ ଦେଉଥିଲା କୁକୁରକୁ

ମୁମ୍ବାଇ: ଏକଦା ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ସାରା ବିଶ୍ୱକୁ ସ୍ତବ୍ଧ କରି ଦେଇଥିଲା । ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ ଶ୍ରଦ୍ଧାକୁ ହତ୍ୟା କରିବା ପରେ ତାର ଶରୀରକୁ କାଟି ଛୋଟ ଛୋଟ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲା । କିନ୍ତୁ ଏହାଠାରୁ ଆହୁରି ଏକ ଭୟାନକ ହତ୍ୟାକାଣ୍ଡ ଘଟିଛି ମୁମ୍ବାଇର ମୀରା ରୋଡ୍ ସ୍ଥିତ ଏକ ଆପାର୍ଟମେଣ୍ଟରେ । ଜଣେ ୩୬ ବର୍ଷୀୟା ମହିଳାଙ୍କୁ ତାଙ୍କ ଲିଭ୍ ଇନ୍ ପାର୍ଟନର ପ୍ରଥମେ ହତ୍ୟା କରିଥିଲା ପରେ ଶବକୁ ଖଣ୍ଡ ଖଣ୍ଡ କରି କାଟିଥିଲା । ଏତିକିରେ ତାର ମନ ଭରି ନ ଥିଲା । ସେ ନିଜ ପ୍ରେମିକାର କଟା ହୁଆ ଶବକୁ ଏକ ପ୍ରେସର କୁକରରେ ସିଝାଇଥିଲା । ଯଦ୍ଦ୍ୱାରା କି ସେ ଖୁବ୍ ସହଜରେ ପ୍ରମାଣ ନଷ୍ଟ କରିପାରିବ । ତେବେ ପୋଲିସ ଏହି ହତ୍ୟାକାଣ୍ଡରେ ଶବର କିଛି ଖଣ୍ଡ ଅଂଶ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିବାରେ ସମର୍ଥ ହୋଇଛି ।

ପୋଲିସର କହିବା ଅନୁସାରେ ଅଭିଯୁକ୍ତ ମନୋଜ ସାହାଣୀ ଗତ ୩ ବର୍ଷ ଧରି ଗୀତା ନଗର ଫେଜ୍ ୭ର ଗୀତା ଆକାଶ ଦୀପ ବିଲ୍ଡିଂର ଜେ ୱିଙ୍ଗ ଫ୍ଲାଟ୍ ୭୦୪ରେ ପୀଡିତା ସରସ୍ୱତୀ ବୈଦ୍ୟଙ୍କ ସହିତ ଲିଭ୍ ଇନ୍ ରିଲେସନସିପ୍ରେ ରହୁଥିଲେ । ଅଭିଯୁକ୍ତ ବହୁ ଦିନ ଧରି ମହିଳାଙ୍କ ଉପରେ ସନ୍ଦେହ କରି ଆସୁଥିଲା ଯେ, ତାଙ୍କର ଅନ୍ୟ କାହା ସହ ସଂପର୍କ ରହିଛି । ଏହି ସନ୍ଦେହ କାରଣରୁ ଉଭୟଙ୍କ ମଧ୍ୟରେ ଲଗାତର ଝଗଡା ହେଉଥିଲା । ଗତ ୩ ଦିନ ତଳେ ଉଭୟଙ୍କ ମଧ୍ୟରେ ଝଗଡା ଚାଲିଥିବା ବେଳେ ଅଭିଯୁକ୍ତ ମହିଳାଙ୍କୁ ହତ୍ୟା କରି କଟରରେ ତାଙ୍କ ଶବକୁ ଖଣ୍ଡ ଖଣ୍ଡ କରିଥିଲା । ୫୬ ବର୍ଷୀୟ ଅଭିଯୁକ୍ତ ମନୋଜ ସାହାଣୀ ଏହି ହତ୍ୟାକାଣ୍ଡ ପରେ ନିଜ ଆପାର୍ଟମେଣ୍ଟରୁ ଫେରାର ହୋଇଯିବାକୁ ବସିଥିବା ବେଳେ ପୋଲିସ ତାକୁ ଗିରଫ କରିବାରେ ସମର୍ଥ ହୋଇଛି ।
ପୋଲିସକୁ ପୀଡିତା ମହିଳାଙ୍କର କେବଳ ଗୋଡ ମିଳିଛି । କାରଣ ଅଭିଯୁକ୍ତ ପୀଡିତାର ଶରୀରକୁ ବହୁ ଖଣ୍ଡ କରି କାଟି ଦେଇଥିଲା । ପୋଲିସ କହିଛି ବୁଧବାର ସନ୍ଧ୍ୟାରେ ଫ୍ଲାଟର କିଛି ବାସିନ୍ଦା ଥାନାକୁ ଫୋନ୍ କରି କହିଥିଲେ ଯେ, ଫ୍ଲାଟ୍ ନଂ ୭୦୪ରୁ ଦୁର୍ଗନ୍ଧ ଆସୁଛି ।

ଯେତେବେଳେ ପୋଲିସ ମୀରା ରୋଡ୍ ସ୍ଥିତ ଏହି ଆପାର୍ଟମେଣ୍ଟରେ ପହଞ୍ଚିଥିଲା ସେତେବେଳେ ମନୋଜ ଦ୍ୱାର ଖୋଲିଥିଲା । ସେ ପୋଲିସକୁ ଦେଖି ସେଠାରୁ ଖସିଯିବାକୁ ବସିଥିଲା । କିନ୍ତୁ ସେଠାରେ ଥିବା ଲୋଙ୍କ ସହାୟତାରେ ପୋଲିସ ତାକୁ ଧରି ନେଇଥିଲା । ଯେତେବେଳେ ପୋଲିସ ଭିତରକୁ ଯାଇଥିଲା ସେତେବେଳେ ତାକୁ ୧୨/୧୩ ଖଣ୍ଡ ମାଂସ ସହ ମହିଳାଙ୍କ ଗୋଡ ମିଳିଥିଲା । ଗତ ୩ ଦିନ ଭିତରେ ଅଭିଯୁକ୍ତ ମହିଳାଙ୍କ ଶରୀରର କିଛି ଅଂଶକୁ କେଉଁଆଡେ ନଷ୍ଟ କରି ଦେଇଥିଲା ।
ପୋଲିସ ଆହୁରି କହିଛି ଅଭିଯୁକ୍ତ କିଛି ଖଣ୍ଡ ଶବକୁ ପ୍ରେସର କୁକରରେ ଫୁଟାଇ ପଲିଥିନ୍ ରେ ଭରି ରଖିଥିଲା । ଏବେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣା ପଛରେ ପ୍ରକୃତ କାରଣ କଣ ରହିଛି ତାହାର ଯାଞ୍ଚ କରୁଛି । ତେବେ ମନୋଜର ଏପରି ଏକ ବୀଭତ୍ସ ହତ୍ୟାକାଣ୍ଡ ଲାଗି ଆଦୌ ଅନୁତାପ ନାହିଁ ବୋଲି ପୋଲିସ କହିଛି । ତେବେ ମନୋଜ ରହୁଥିବା ବିଲ୍ଡିଂର ଅନ୍ୟ ସଦସ୍ୟମାନେ କହିଛନ୍ତି ଅଭିଯୁକ୍ତ ଗତ କିଛି ଦିନ ଧରି ବୁଲା କୁକୁରଙ୍କୁ କଣ ଖାଇବାକୁ ଦେଉଥିଲା ଯାହା ସେ ପୂର୍ବରୁ କେବେ କରିବାର କେହି ଦେଖି ନ ଥିଲେ ।

Get real time updates directly on you device, subscribe now.