ନୂଆଦିଲ୍ଲୀ: ନିକଟରେ ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ପାଟ୍ରୋଲିଂ ଢାଞ୍ଚା କୁ ନେଇ ଭାରତ ଓ ଚୀନ୍ ମଧ୍ୟରେ ଏକ ଚୁକ୍ତି ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ରାଜନାଥ ସିଂହ ଆସାମର ତେଜପୁରରେ କହିଛନ୍ତି ଯେ ନିକଟରେ ଏଲଏସିରେ ସୀମା ସମ୍ବନ୍ଧୀୟ ପ୍ରସଙ୍ଗରେ ବହୁତ ଅଗ୍ରଗତି ହୋଇଛି। ଏଲଏସିର କିଛି ଅଞ୍ଚଳରେ ବିବାଦର ସମାଧାନ ପାଇଁ କୂଟନୈତିକ ଓ ସାମରିକ ସ୍ତରରେ ଭାରତ ଓ ଚୀନ୍ ମଧ୍ୟରେ ଆଲୋଚନା ଚାଲିଛି। ଆମର ଦୀର୍ଘମିଆଦୀ ପ୍ରୟାସ ପରେ ଏଲଏସିରେ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣିବା ପାଇଁ ଆମେ ପାରସ୍ପରିକ ବୁଝାମଣାରେ ପହଞ୍ଚିଛୁ।
ରୁଷ୍ର କାଜାନରେ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି କହିଥିଲେ ଯେ ପୂର୍ବ ଲଦାଖରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ୍ ପାଟ୍ରୋଲିଂ ଢାଞ୍ଚାରେ ଏକ ଚୁକ୍ତିରେ ପହଞ୍ଚିଛନ୍ତି। ଏହାପରେ ଭାରତ ସହ ସୀମା ବିବାଦରେ ପାଟ୍ରୋଲିଂ ପ୍ରସଙ୍ଗରେ ମଧ୍ୟ ଚୀନ୍ ରାଜି ହୋଇଥିଲା। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ୍ ଜିଆନ୍ କହିଛନ୍ତି ଯେ ସୀମା ପ୍ରସଙ୍ଗରେ କୂଟନୈତିକ ଓ ସାମରିକ ସ୍ତରରେ ଚୀନ୍ ଓ ଭାରତ ମଧ୍ୟରେ ଘନିଷ୍ଠ ଯୋଗାଯୋଗ ରହିଛି। ଏହାପରେ ବ୍ରିକ୍ସ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ହୋଇଥିଲା।