ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପର୍ଥରେ ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୨୯୫ ରନରେ ପରାସ୍ତ କରିଛି। ଭାରତୀୟ ଦଳର ଅଧିନାୟକ ଯଶପ୍ରୀତ ବୁମ୍ରା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇଛନ୍ତି।
ମ୍ୟାଚ୍ ପରେ ଯଶପ୍ରୀତ ବୁମ୍ରା କହିଛନ୍ତି, ପ୍ରଥମ ଇନିଂସ୍ ପରେ ଆମେ ଚାପରେ ଥିଲୁ କିନ୍ତୁ ଆମେ ଯେଉଁଭଳି ଭାବେ ଫେରିଥିଲୁ ତାହା ଚମତ୍କାର ଥିଲା। ୨୦୧୮ରେ ମଧ୍ୟ ମୁଁ ଏଠାରେ ଖେଳିଛି। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲୁ। ମୁଁ ସମସ୍ତଙ୍କୁ ନିଜ ଉପରେ ବିଶ୍ୱାସ କରିବାକୁ କହିଥିଲି। ଏହା ଜୈସୱାଲଙ୍କ ଟେଷ୍ଟର ସର୍ବଶ୍ରେଷ୍ଠ ଇନିଂସ ଥିଲା। ମୁଁ କେବେ ବି ଅନୁଭବ କରିନଥିଲି ଯେ ବିରାଟ ଫର୍ମରୁ ବାହାରେ ଅଛନ୍ତି। ଏଭଳି ୱିକେଟ୍ ନେଇ ନିଷ୍ପତ୍ତି ନେବା କଷ୍ଟକର।
ଏହି ବିଜୟ ଅଷ୍ଟ୍ରେଲିଆରେ ଭାରତର ସବୁଠାରୁ ବଡ଼ ବିଜୟ। ଏହା ପୂର୍ବରୁ ୧୯୭୭ରେ ମେଲବର୍ଣ୍ଣରେ ଭାରତ ଅଷ୍ଟ୍ରେଲିଆକୁ ୨ ରନ୍ ରେ ପରାସ୍ତ କରିଥିଲା। ଏହି ବିଜୟ ଭାରତୀୟ ଦଳର ଘର ବାହାରେ ଟେଷ୍ଟ କ୍ରିକେଟରେ ତୃତୀୟ ବୃହତ୍ତମ ବିଜୟ। ଏହା ପୂର୍ବରୁ ଭାରତ ୨୦୧୯ରେ ୱେଷ୍ଟଇଣ୍ଡିଜ୍ କୁ ୩୧୮ ରନ୍ ରେ ପରାସ୍ତ କରିଥିବା ବେଳେ ୨୦୧୭ରେ ଶ୍ରୀଲଙ୍କାକୁ ୩୦୪ ରନ୍ ରେ ପରାସ୍ତ କରିଥିଲା।
ପର୍ଥରେ ଖେଳାଯାଇଥିବା ଏହି ମ୍ୟାଚର ପ୍ରଥମ ଇନିଂସରେ ଭାରତ ୧୫୦ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ମାତ୍ର ୧୦୪ ରନ୍ କରିପାରିଥିଲା। ଭାରତ ୪୮୭ ରନ୍ କରି ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ଏହାପରେ ସେମାନେ ୫୩୪ ରନ୍ ର ଟାର୍ଗେଟ କୁ ପିଛା କରିବାକୁ ବାହାରିଥିଲେ। ଅଷ୍ଟ୍ରେଲିଆ ଦଳ ମାତ୍ର ୨୩୮ ରନ୍ କରିପାରିଥିଲା। ଭାରତ ୨୯୫ ରନ୍ ରେ ବିଜୟୀ ହୋଇଥିଲା।