ନୂଆଦିଲ୍ଲୀ: ସିରିଆର ସାମ୍ପ୍ରତିକ ସ୍ଥିତିକୁ ନେଇ ସୋମବାର ଭାରତ ପ୍ରତିକ୍ରିୟା ରଖିଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆମେ ସିରିଆର ଗତିବିଧି ଉପରେ ନଜର ରଖିଛୁ । ସିରିଆର ଏକତା, ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ବଜାୟ ରଖିବା ଦିଗରେ ସମସ୍ତ ପକ୍ଷ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଆମେ ବିଶ୍ୱାସ କରୁଛୁ । ବୈଦେଶିକ ମନ୍ତ୍ରଣାଳୟ କହିଛି, ସିରିଆର ସମସ୍ତ ବର୍ଗଙ୍କ ସ୍ୱାର୍ଥ ଓ ଆକାଂକ୍ଷାକୁ ସମ୍ମାନ ଦେଇ ଆମେ ଏକ ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୁକ୍ତ ସିରିଆ ନେତୃତ୍ୱାଧୀନ ରାଜନୈତିକ ପ୍ରକ୍ରିୟାକୁ ସମର୍ଥନ କରୁଛୁ । ଦମାସ୍କସସ୍ଥିତ ଆମ ଦୂତାବାସ ସେମାନଙ୍କ ସୁରକ୍ଷା ପାଇଁ ଭାରତୀୟ ସମ୍ପ୍ରଦାୟ ସହ ଯୋଗାଯୋଗରେ ରହିଛି ।
ଆଲେପ୍ପୋ, ହାମା ଓ ହୋମ୍ସକୁ ନିଜ ନିୟନ୍ତ୍ରଣକୁ ନେବା ପରେ ଇସଲାମିକ ଉଗ୍ରବାଦୀ ସଂଗଠନ ଏଚ୍ଟିଏଏସ୍ ନେତୃତ୍ବାଧୀନ ବିଦ୍ରୋହୀମାନେ ରବିବାର ରାଜଧାନୀ ଦମାସ୍କସ୍ କୁ ଦଖଲ କରିଛନ୍ତି । ଏହାପରେ ବିଦ୍ରୋହୀ ଗୋଷ୍ଠୀ ମାନେ ସିରିଆକୁ ମୁକ୍ତ କରାଯାଇଛି ବୋଲି କହିଥିଲେ । ଏସବୁ ଭିତରେ ବଶାର ଅଲ-ଅସଦ ସିରିଆ ଛାଡ଼ି ପଳାଇଛନ୍ତି । ରୁଷ୍ ନ୍ୟୁଜ୍ ଏଜେନ୍ସି ଏବଂ ସରକାରୀ ଟିଭି କ୍ରେମଲିନ୍ ସୂତ୍ରରୁ ପ୍ରକାଶ ଯେ ମାନବିକତା ଦୃଷ୍ଟିରୁ ରୁଷ୍ ଅସଦ ଏବଂ ତାଙ୍କ ପରିବାରକୁ ଆଶ୍ରୟ ଦେଇଛି ।