ନୂଆଦିଲ୍ଲୀ: ମହାକାଶଚାରୀମାନେ ମହାକାଶରେ ବଞ୍ଚିବା ପାଇଁ କ’ଣ ଖାଆନ୍ତି? ମହାକାଶକୁ ଯିବା ପରେ ପୃଥିବୀରେ ଖାଉଥିବା ଜିନିଷର ସ୍ୱାଦ ବଦଳିଯାଏ କି? ଏଗୁଡ଼ିକ ଏପରି ପ୍ରଶ୍ନ ଯାହା ରୋଚକ ଏବଂ ଆକର୍ଷଣୀୟ ହେବା ସହିତ, ଜ୍ଞାନ ଦୃଷ୍ଟିକୋଣରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବୈଜ୍ଞାନିକମାନେ ମଧ୍ୟ ପ୍ରାୟତଃ କୁହନ୍ତି ଯେ ମହାକାଶରେ ଖାଇବା ମଜାଦାର ନୁହେଁ। ପୃଥିବୀରେ ସ୍ୱାଦିଷ୍ଟ ଖାଦ୍ୟ ମହାକାଶ କକ୍ଷପଥରେ ନରମ ଏବଂ ବିରକ୍ତିକର ହୋଇପାରେ।
ଜଣେ ମହାକାଶଚାରୀଙ୍କ ଖାଦ୍ୟ ପ୍ରସ୍ତୁତି ବହୁତ ଭାବି ଚିନ୍ତି କରାଯାଇ ଥାଏ, ଯାହା ଦ୍ୱାରା ସେମାନେ ସୁସ୍ଥ ରୁହନ୍ତି । ଖାଦ୍ୟର ପ୍ୟାକେଜିଂ ଏବଂ ପୋଷକ ତତ୍ତ୍ବ ଉପରେ ବିଶେଷ ଧ୍ୟାନ ଦିଆଯାଏ । ତେବେ ଆସନ୍ତୁ ଜାଣିବା ମହାକାଶଚାରୀଙ୍କ ଖାଦ୍ୟରେ କ’ଣ ଅଛି?
ମହାକାଶରେ ଶରୀରକୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖିବା ପାଇଁ ଏକ ସନ୍ତୁଳିତ ଖାଦ୍ୟର ଆବଶ୍ୟକତା ଥାଏ। ଏହି ଖାଦ୍ୟରେ ସଠିକ ପରିମାଣରେ ପ୍ରୋଟିନ, କାର୍ବୋହାଇଡ୍ରେଟ୍, ଫ୍ୟାଟ , ଭିଟାମିନ୍ ଏବଂ ମିନେରାଲ୍ସ ଥାଏ। ମହାକାଶରେ ହାଡ଼ ଉପରେ ଅଧିକ ପ୍ରଭାବ ପଡ଼ୁଥିବାରୁ ଶରୀରକୁ ଅଧିକ କ୍ୟାଲସିୟମ ଏବଂ ଭିଟାମିନ ଡି ଆବଶ୍ୟକ ହୋଇଥାଏ।
ଅନ୍ୟପଟେ ମହାକାଶରେ ଅତି କମ ପରିମାଣରେ ମଧୁର ଜଳ ମିଳିଥାଏ। ତେଣୁ ଖାଦ୍ୟ ପ୍ରସ୍ତୁତିରେ କମ ପାଣି ବ୍ୟବହାର କରାଯାଏ। ଏପରି କରିବା ଦ୍ବାରା ଖାଦ୍ୟ ବହୁତ ଦିନ ପର୍ଯ୍ୟନ୍ତ ନଷ୍ଟ ମଧ୍ୟ ହୋଇନଥାଏ। ମହାକାଶରେ ଖାଦ୍ୟକୁ ସ୍ୱତନ୍ତ୍ର ପ୍ୟାକେଟରେ ପ୍ୟାକ୍ କରାଯାଏ ଓ ତରଳ ଖାଦ୍ୟକୁ ଟ୍ୟୁବରେ ରଖାଯାଏ। ସେହିପରି ମହାକାଶଚାରୀମାନେ ବିସ୍କୁଟ ଏବଂ କେକ୍ ଭଳି ଖାଦ୍ୟ ମଧ୍ୟ କମ୍ ପରିମାଣରେ ଖାଇଥାନ୍ତି। ସେମାନଙ୍କ ପାଣି ପିଇବା ପ୍ରଣାଳୀ ମଧ୍ୟ ସ୍ଵତନ୍ତ୍ର। ସେମାନଙ୍କୁ ପାନୀୟଜଳ ସ୍ୱତନ୍ତ୍ର ଷ୍ଟ୍ର ପ୍ୟାକିଂରେ ଯୋଗାଇ ଦିଆଯାଏ। ମହାକାଶଚାରୀମାନଙ୍କୁ ବହୁତ କମ୍ ପରିମାଣର ଖାଦ୍ୟ ଖାଇବାକୁ ପଡ଼ିଥାଏ।